ଆମେରିକା ଓ ଇସ୍ରାଏଲ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆଜି ଏହି ଦୁଇଟି ଦେଶ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ରେଡିଓ ଆକ୍ଟିଭ ଲିକ୍ ହୋଇନାହିଁ । ଏହି ଅଞ୍ଚଳ ଓ ଆଖପାଖର ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ବୋମାମାଡ଼ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁନ୍ ମାସରେ ମଧ୍ୟ ଏହି ପରମାଣୁ କେନ୍ଦ୍ର ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିଥିଲେ ।ଅନ୍ୟପକ୍ଷରେ, ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ବନ୍ଦ ହୋଇନଥିବା ନେଇ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚି ସୂଚନା ଦେଇଛନ୍ତି। ଏକ ସାକ୍ଷାତକାରରେ ଅରାଘଚି କହିଛନ୍ତି ଯେ, “ଏହି ଜଳପଥ ସମ୍ପୂର୍ଣ୍ଣ ବନ୍ଦ ନାହିଁ; ଏହା ଆମର ବ୍ୟବସ୍ଥା ଅନୁଯାୟୀ ଖୋଲୁଛି। ହର୍ମୁଜ ପ୍ରଣାଳୀ କେବଳ ସେହି ଦେଶମାନଙ୍କ ପାଇଁ ବନ୍ଦ ରହିଛି ଯେଉଁମାନେ ଆମ ଉପରେ ଆକ୍ରମଣ କରୁଛନ୍ତି।” ଅନ୍ୟ ସମସ୍ତ ଦେଶର ଜାହାଜ ସାଧାରଣ ଭାବେ ଯାତାୟାତ କରିପାରୁଛି, କିନ୍ତୁ ସେଥିପାଇଁ ସେମାନଙ୍କୁ ତେହେରାନ ସହିତ ସମନ୍ୱୟ ରକ୍ଷା କରିବାକୁ ପଡ଼ୁଛି ।
