ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି।ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଶୁକ୍ରବାର ସନ୍ଧ୍ୟାରେ ଏକ ବିବୃତ୍ତି ଜାରି କରିଛନ୍ତି। ଏହା ପୂର୍ବରୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ଜାହାଜଗୁଡ଼ିକୁ ସୁରକ୍ଷିତ ପଥ ପ୍ରଦାନ କରିବ। ଫଥାଲି କହିଛନ୍ତି, ୨-୩ ଘଣ୍ଟା ଅପେକ୍ଷା କରନ୍ତୁ, ଦେଖିବେ । ଭାରତ ଉପରେ ମୋର ଭରସା ରହିଛି । ଇରାନ୍ ଏବଂ ଭାରତର ସ୍ବାର୍ଥ ଗୋଟିଏ । ଯୁଦ୍ଧ ପରେ ଭାରତ ଇରାନକୁ ସହାୟତା କରିବା ଉଚିତ ।ଇରାନର ଉଚ୍ଚପଦସ୍ଥ ଅଧିକାରୀମାନେ ଭାରତ ସହ ସହଯୋଗର ପଥକୁ ସହଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନର ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଉଭୟ ନେତା ଶାନ୍ତି ଏବଂ ସହଯୋଗ ପାଇଁ ଚେଷ୍ଟା କରୁଛନ୍ତି। ଇରାନ ଯୁଦ୍ଧ ଚାହୁଁନାହିଁ, କିନ୍ତୁ ଯଦି ପରିସ୍ଥିତି ଉପୁଜେ ତେବେ ସେଥିପାଇଁ ପ୍ରସ୍ତୁତ ଅଛି। ଆମେରିକା ସହ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଇରାନ ପକ୍ଷରୁ କଥାବାର୍ତ୍ତା ଆରମ୍ଭ କରାଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ସଫଳ ହୋଇପାରି ନାହିଁ। ବର୍ତ୍ତମାନ ଇରାନ ବିଶ୍ୱର ସମସ୍ତ ସରକାରଙ୍କୁ ସ୍ପଷ୍ଟ କରିଛି ଯେ ସେମାନେ ଶାନ୍ତି ଚାହୁଁଛନ୍ତି।
