ଉତ୍କଳ ଆଲୁମିନା ପକ୍ଷରୁ ମହାଡମ୍ବରରେ ଶାରଦୀୟ ଦୁର୍ଗା ପୂଜା ଆୟୋଜିତ

ରାୟଗଡ଼ା, ୦୨/୧୦; ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ପକ୍ଷରୁ ସ୍ଥାନୀୟ ଦଶହରା ପଡ଼ିଆ ଠାରେ ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ମହାଡମ୍ବରରେ ଆୟୋଜିତ ହୋଇଛି । ଦୀର୍ଘ ପାଞ୍ଚଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପୂଜାରେ ମାଁ ଦୂର୍ଗାଙ୍କ ଆରାଧନାରେ ଅଞ୍ଚଳର ଦଶଦିଗ ମୁଖରିତ ହୋଇଛି । ଗତ ୨୭ ରିଖରେ ମାଁଙ୍କ ମଣ୍ଡପରେ ମହାଷଷ୍ଠୀ ଦିନଠୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏଥିପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡିଛି। ମାଁଙ୍କ ମୁର୍ମୟୀ ମୂର୍ତ୍ତି ଆକର୍ଷଣୀୟ ହୋଇଥିବାବେଳେ ରଙ୍ଗୀନ ଆଲୋକମାଳା ଓ ସୁସଜ୍ଜିତ ତୋରଣ ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରିଛି । ଆଜି ମାଁଙ୍କ ସନ୍ଧିପୂଜା ଓ ମହାନବମୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ ଦଶହରା ଓ ରାବଣପୋଡ଼ି ପାଳିତ ହେବ। ଉତ୍କଳ ଆଲୁମିନା ଆନୁକୁଲ୍ୟରେ ଏହି ଶାରଦୀୟ ପୂଜା ଆୟୋଜିତ ହୋଇଥିବାବେଳେ ସ୍ଥାନୀୟ ଜନ ସାଧାରଣମାନେ ଏହାକୁ ଅକୁଣ୍ଠ ସହଯୋଗ କରିଛନ୍ତି। ମାଁଙ୍କୁ ଦର୍ଶନ କରିବାକୁ ଆସୁଥିବା ସ୍ଥାନୀୟ ଗ୍ରାମାଞ୍ଚଳ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସକାଶେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ ବିଷୟବସ୍ତୁ ଆଧାରିତ ନାଟକ ମଞ୍ଚସ୍ଥ କରାଯାଉଛି। ଗତ ୨୮ ରିଖ ଦିନ ମଞ୍ଚରେ ସ୍ଥାନୀୟ ଗ୍ରାମାଞ୍ଚଳ କଳାକାରଙ୍କ ଦ୍ଵାରା ଭୁଗିଭୁଗି ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ୨୨ଗୋଟି ନୃତ୍ୟ ଦଳ ଅଂଶଗ୍ରହଣ କରି ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ। ସେହିପରି ଶ୍ରଦ୍ଧାଳୁଙ୍କ ମନୋରଞ୍ଜନକୁ ଗୁରୁତ୍ବ ଦେଇ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଅର୍କେଷ୍ଟ୍ରାର ଦଳ ତରଫରୁ ଦୈନିକ ସନ୍ଧ୍ୟାରେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଏଥିସହିତ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚ ଅତିଥି ଭାବେ ଯୋଗ ଦେଇ ପାରମ୍ପରିକ ରୀତି ଅନୁଯାୟୀ ଦୀପ ପ୍ରଜ୍ବଳନ ଓ ନଡ଼ିଆ ଭାଙ୍ଗିବା ପୂର୍ବକ କାର୍ଯ୍ୟକ୍ରମ ପ୍ରାରମ୍ଭ କରୁଥିବାବେଳେ ଗତ ୨୮ରିଖ ଦିନ କୁଚେଇପଦର ସରପଞ୍ଚ ବଙ୍ଗାରି ମାଝୀ, ୨୯ରିଖ ଦିନ ପୋଡାପାଡ଼ି ସରପଞ୍ଚ ନିଲାବତି ମଣ୍ଡାଙ୍ଗି ଓ ୩୦ରିଖ ଦିନ କୋଡ଼ିପାରି ସରପଞ୍ଚ ଡମ୍ବରୁଧର ମାଝୀ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ସାବଲା ନାଏକ, ଚିତ୍ରସେନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକ ଉତ୍କଳ ଆଲୁମିନା ପ୍ରତେକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିବାବେଳେ ନାରାୟଣ ମୀତ୍ରା, କିରଣ ନାୟକ, ପିତାମ୍ବର ବେହେରା, ଭୋଜରାଜ୍ ଦାଶ ଓ ବେଲକର ନାଏକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ସକ୍ରିୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ତେବେ ସନ୍ଧ୍ୟାରେ ମାଁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଜମୁଥିବାରୁ ସ୍ଥାନୀୟ ଦୋରାଗୁଡା ପୁଲିସ ଓ ଉତ୍କଳ ଆଲୁମିନା ସୁରକ୍ଷା ବିଭାଗ ପକ୍ଷରୁ ସୁରକ୍ଷା ବୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହିତ ଦଶହରା ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ଆମ୍ବୁଲାନ୍ସ ଓ ୨୪ଘଣ୍ଟିଆ ସିସିଟିଭି ନିୟନ୍ତ୍ରଣ କକ୍ଷ କରାଯାଇଛି। ଏଥିସହ ଦଶହରା ପଡ଼ିଆରେ ବିଭିନ୍ନ ପ୍ରକାରର ଆବଶ୍ୟକ ଘରକରଣା ସାମଗ୍ରୀ, ଖାଦ୍ୟପେୟ ଷ୍ଟଲ୍ ବିଶେଷ ଭାବେ ପିଲାମାନଙ୍କ ଖେଳନା ସାମଗ୍ରୀ ଷ୍ଟଲ୍ ଖୋଲାଯାଇଥିବା ବେଳେ ଏଠାରେ ସନ୍ଧ୍ୟା ହେଲେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital