ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଅକ୍ସଫୋର୍ଡ  ଟ୍ୟୁଟୋରିଆଲ୍ ସଭାଗୃହରେ ଉତ୍କଳ ଦିବସ ୨୦୨୫ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଯୁବ କଣ୍ଠଶିଳ୍ପୀ ଅମ୍ରିତା ରଥ,ସ୍ନେହା ପ୍ରିୟଦର୍ଶିନୀ, ଇପ୍ସିତା ପ୍ରିୟଦର୍ଶିନୀ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ଅଧ୍ଯକ୍ଷା ବସିରନ୍ ବିବିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଇତିହାସ ଏବଂ ସାଂପ୍ରତିକ ସ୍ଥିତି ବିଷୟରେ ବିଶ୍ଳେଷଣାତ୍ମକ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ଭୈାଗୋଳିକ ସ୍ଥିତି, ଇଂରେଜ ଶାସନ ସମୟର ଶିକ୍ଷା ବ୍ୟବସ୍ଥା,ଭାଷା ସଂକଟ ଏବଂ ବର୍ତ୍ତମାନ ଓଡିଶାର ବିକାଶରେ ଛାତ୍ରଛାତ୍ରୀଙ୍କ ଭୂମିକା କଣ ହେବା ଆବଶ୍ୟକ,ଏ ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।  ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରଫେସର ମହମ୍ମଦ ଓମାର ମଲ୍ଲିକ ଓ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶାର ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡିଶାର ଓଡ଼ିଆ ବରପୁତ୍ର ମାନଙ୍କ ତ୍ୟାଗ, ସଂଗ୍ରାମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କବି ଗୋପୀନାଥ ସେଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅକ୍ସଫୋର୍ଡର ନିର୍ଦେଶକ ବିଜୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସଂପାଦନ ହୋଇଥିଲା ବେଳେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବକ୍ତୃତା, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏ ଅବସରରେ କବୟିତ୍ରୀ ନିଳୀମା ନନ୍ଦଙ୍କ ସଂଯୋଜନାରେ କବି ସୁଦର୍ଶନ ପ୍ରଧାନ,କ୍ଷଣପ୍ରଭା କର,ମମତା ମଂଜରୀ ଦେବୀ ,ନିରଂଜନ ନାୟକ,ପ୍ରବାସିନୀ ବରାଡ, ସନ୍ତୋଷ କୁମାର ସାହୁ ପ୍ରମୁଖ  ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଆଧାରିତ କବିତା ପାଠ କରିଥିଲେ।

ଅଧିକ ପଢନ୍ତୁ

kc ads