ମଙ୍ଗଳବାର, ଅଗଷ୍ଟ ୫, ୨୦୨୫ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ବାଦଲ ଫଟା ବର୍ଷା ବନ୍ୟା ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉତ୍ତରାଖଣ୍ଡର ଧରାଲି ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥିବା ରିପୋର୍ଟ କରାଯାଇଛି, ଯେଉଁଠାରେ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି।ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଭାଟୱାଡିରୁ ଏସଡିଆରଏଫ ଦଳ ମଧ୍ୟ ଧରାଲି ଅଭିମୁଖେ ଯାଇଛି ।
ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ସ୍ଥିତ ଧରାଲି ଗାଁରେ ବାଦଲ ଫଟା ବର୍ଷା ପରେ ପାଣି ମାଡ଼ି ଆସିଛି । ପାଣି ଖୁବ୍ ଜୋରରେ ମାଡ଼ି ଆସିବାରୁ ତଳିଆ ଅଞ୍ଚଳକୁ ଭସାଇ ନେଇଛି । ଅନେକ ଘର ଏଥିରେ କ୍ଷତିଗ୍ରସ୍ତ ହେବା ସହ କିଛି ଲୋକେ ଭାସି ଯାଇଛନ୍ତି । ଘଟଣା ଉପରେ ନଜର ରଖାଯିବା ସହ ସତର୍କ ସୂଚନା ଜାରି କରାଯାଇଛି । ଏଯାଏଁ ଜୀବନହାନୀ ନେଇ କୌଣସି ସୂଚନା ମିଳିନାହିଁ । ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।ଧାମି କହିଛନ୍ତି ଯେ ଜିଲା ପ୍ରଶାସନ, ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ର ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ‘ଆମେ ଲୋକଙ୍କୁ ଉଦ୍ଧାର କରିବା ଏବଂ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛୁ।’ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ସରକାର ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବେ।