
ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ପାଞ୍ଚ ଦିନ ଧରି ନୟାଗଡ଼ ବ୍ଲକ ଅନ୍ତର୍ଗତ ଶ୍ୟାମବନ୍ଧୁ ସରକାରୀ ହାଇସ୍କୁଲ, ମାଛିପଡ଼ା ଠାରେ ଚାଲିଥିବା ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ପ୍ରବୋଧନ’ ଆଜି ଉଦଯାପିତ ହୋଇଯାଇଛି । ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ଓ ବିଦ୍ୟାଳୟ ଶିକ୍ଷା-୨୦୨୫କୁ ଆଧାର କରି ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା । ସୂଚନା ଯୋଗ୍ୟ ଯେ ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକର ଆମୂଳଚୁଳ ପରିବର୍ତ୍ତନ କରାଯାଇଛି।

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷାକ୍ରମ ଢାଞ୍ଚାକୁ ପରିବର୍ତ୍ତନ କରାଯାଇ ନୂତନ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ସେହି ଅନୁସାରେ ଶିକ୍ଷା ପ୍ରଦାନ କରାଯିବ। ଅନ୍ୟ ପକ୍ଷରେ ମାତୃଭାଷାରେ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦିଆଯିବା ସହିତ ,ଉଚ୍ଚ ଶିକ୍ଷାରେ ପରିବର୍ତ୍ତନ,ନିୟମିତ ଶିକ୍ଷକ ପ୍ରଶିକ୍ଷଣ ତଥା ପିଲାମାନଙ୍କର ୩୬୦° ସର୍ବାଙ୍ଗୀନ ଉନ୍ନତି ଏବଂ ମୂଲ୍ୟାୟନ ସହିତ ପାଠପଢା, କୌଶଳ,ଆଚରଣ ଏବଂ ସୃଜନଶୀଳତାର ମୂଲ୍ୟାୟନ ଉପରେ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି।

ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧନେଶ୍ୱର ସେଠିଙ୍କ ତତ୍ୱାବଧାନରେ ଚାଲିଥିବା ଏହି ୫ ଦିନିଆ ପ୍ରଶିକ୍ଷଣ ଶିବିରରେ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିବା ବେଳେ ପ୍ରଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକ ଦୁର୍ଗାକାନ୍ତ ଆଚାର୍ଯ୍ୟ ଏବଂ ଅଶୋକ କୁମାର ମଲ୍ଲ ଶିବିର ପରିଚାଳନା କରିଥିଲେ।By:Laxmidhar Sahoo
