ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ ଲାଗି ଉଦ୍ୟମ ସଫଳ ହୋଇଛି । ଦୀର୍ଘ ଚାରିବର୍ଷ ଧରି ଠାକୁର ସୁନାବେଶ ହୋଇପାରୁନଥିଲେ । ଅଳଙ୍କାର ଉପରୁ ସୁନା ଲେପ ଛାଡିଯିବାରୁ ଉକ୍ତ ଅଳଙ୍କାର ଠାକୁର ଲାଗି ହେଉନଥିଲେ । ବାରମ୍ବାର ଦାବି ସତ୍ୱେ ଖର୍ଚ୍ଚ ଅଟକଳ ସାତଲକ୍ଷ ଟଙ୍କା ଦେବୋତ୍ତର ବିଭାଗ ଦେବାକୁ ଅକ୍ଷମ ଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଘୋର ଆଘାତ ଲାଗିଥିଲା । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ସାତଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ନୟାଗଡ଼ର ବିଧାୟକଙ୍କୁ ଯୋଗାଯୋଗ ପରେ ଶୁକ୍ରବାର ଅପରାହ୍ନରେ ଡ. ଅରୁଣ କୁମାର ସାହୁ ଚାରି ଲକ୍ଷ ଟଙ୍କା ଦେବୋତ୍ତର ମ୍ୟାନେଜରଙ୍କୁ ପ୍ରଦାନ କରିବା ପରେ ପ୍ରମୋଦ ପଟ୍ଟନାୟକ ଏକ ଲକ୍ଷଟଙ୍କା ଏବଂ ଦେବୋତ୍ତର ବିଭାଗ ଅବଶିଷ୍ଟ ଦୁଇ ଲକ୍ଷ ଟଙ୍କା ଦେବେ ବୋଲି ଉପ-ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ନିଷ୍ପତ୍ତି ହେବା ପରେ ଉପ-ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ଅଳଙ୍କାର ଟ୍ରେଜେରୀରୁ ଅଣାଯାଇଥିଲା । ଉକ୍ତ ଅଳଙ୍କାର ଉପରେ ସୁନା ଛାଉଣି ପାଇଁ କଟକ କାରିଗରଙ୍କ ପାଖକୁ ନିଆଯିବ ବୋଲି ଜଣା ପଡିଛି । ଆଲୋଚନାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ଲୋକନାଥ ମିଶ୍ର, ରଜତ ପଟ୍ଟନାୟକ, କାଉନସିଲର ଲକ୍ଷ୍ମୀଧର ମହାପାତ୍ର, ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ, ସୁପରଭାଇଜର ସୁବାଷ ଚନ୍ଦ୍ର ବରାଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।