ସାରା ରାଜ୍ୟରେ ଶୀତ ଲହରୀ । ହଠାତ ପାରଦ ଖସିଛି । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼ । କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ତଳେ ଅନେକ ସହର । ୨୦ ରୁ ଅଧିକ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ । ଆହୁରି ତଳକୁ ଖସିବ ପାରଦ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆଜି ଶିମିଳିପାଳର ଉପରବାର୍ହାକାମୁଡ଼ା ଠାରେ ସର୍ବନିମ୍ନ ୩° ଡିଗ୍ରୀ ,ଚହଲା ୪°, ନଅଣା ୫°, ବରେହିପାଣି ଓ ଗୁରୁଗୁଡ଼ିଆ ଠାରେ ସର୍ବନିମ୍ନ ୬° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଉପରବାର୍ହାକାମୁଡ଼ାର ମୋଟୁଘର,ଚହଲା ଓ ବରେହିପାଣି ଠାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।ସେପଟେ ଶିଳ୍ପନଗରୀ ଅନୁଗୁଳରେ ମଧ୍ୟ ପାରଦ ୧୦ଡିଗ୍ରୀ ତଳେ ରହିଛି । କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ।
ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ସାତକୋଶିଆ, ଟିକରପଡ଼ା ଓ ନଗିରା ଆଦି ଅଞ୍ଚଳରେ ପାରଦ ୬ରୁ ୭ ଡିଗ୍ରୀ ରେକର୍ଡ କରାଯାଇଛି । ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଲୋକ ନିଆଁ ପୁଇଁ ହେଉଥିବା ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।