ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ ।କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏସଆର୍ସିଙ୍କ ସମେତ ଦୁଇ ଜିଲାର ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ରାଜସ୍ବ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରି ବର୍ଷାର ସମ୍ଭାବନା ଥିବାରୁ ଜିଲାପାଳମାନଙ୍କୁ ପ୍ରାକ୍ ପ୍ରସ୍ତୁତି ସହ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।