ଏଣିକି ଉଡ଼ାଣ ସମୟରେ ବନ୍ଦ ରହିବ ଫ୍ଲାଇଟ୍ ଝରକାର ପରଦା; DGCA

ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନ କମ୍ପାନୀ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେଠାରୁ, ପ୍ରତିରକ୍ଷା ବିମାନବନ୍ଦରରୁ ଉଡ଼ାଣ କିମ୍ବା ଅବତରଣ କରୁଥିବା ସମସ୍ତ ବିମାନ ପାଇଁ ସ୍ବତନ୍ତ୍ର ନିୟମ ପ୍ରଯୁଜ୍ୟ ହେବ। ନିର୍ଦ୍ଦେଶରେ କୁହାଯାଇଛି, ସମସ୍ତ ଯାତ୍ରୀଙ୍କର ଝରକାର ପରଦା ଉଡ଼ାଣ ଏବଂ ଅବତରଣ ସମୟରେ ବନ୍ଦ ରହିବ । ବିମାନ ଯେପର୍ଯ୍ୟନ୍ତ ୧୦,୦୦୦ ଫୁଟ ଉଚ୍ଚତା ଅତିକ୍ରମ କରିନଥିବ ଯାତ୍ରୀମାନେ ନିଜ ଝରକାର ପରଦାକୁ ବନ୍ଦ ରଖିବେ ବୋଲି କୁହାଯାଇଛି । ଏହି ନିୟମ ମେ ୨୦ରେ ଜାରି କରାଯାଇଥିଲା । ଏଥି ସହ ମନେ ରଖନ୍ତୁ ଯେ, ଏୟାରଲାଇନ୍ସ ଏବଂ ଅନ୍ୟାନ୍ୟ ବିମାନ ଯାତ୍ରୀମାନଙ୍କୁ ମଧ୍ୟ କୁହାଯାଉଛି ଯେ ମିଲିଟାରୀ ବେସ୍ ରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ନିଷେଧ । ତେଣୁ ସୁରକ୍ଷା ଦ୍ରୁଷ୍ଟିରୁ ଫ୍ଲାଇଟ ଝରକାର ପରଦା ବନ୍ଦ ରହିବ ।ଏହି କଟକଣା ଉଡ଼ାଣ, ଟ୍ୟାକ୍ସି, ପୁଶବ୍ୟାକ, ଅବତରଣ ଏବଂ ୧୦,୦୦୦ ଫୁଟ ତଳେ ଉଡ଼ିବା ସମୟରେ ମଧ୍ୟ ଲାଗୁ ହେବ। ଏହି ନିୟମ ଉଲ୍ଲଂଘନ କଲେ ଯାତ୍ରୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସାମଗ୍ରିକ ଭାବରେ, ବିମାନ କମ୍ପାନୀଗୁଡ଼ିକୁ ଏବେ ସେମାନଙ୍କର ନିୟମିତ ପ୍ରକ୍ରିୟା ପରିବର୍ତ୍ତନ କରିବାକୁ ପଡିବ। ବିମାନ ଏବଂ କ୍ୟାବିନ କ୍ରୁଙ୍କୁ ଉଡ଼ାଣ ପୂର୍ବରୁ, କ୍ୟାବିନକୁ ସୁରକ୍ଷିତ ରଖିବା ପୂର୍ବରୁ ଏବଂ ଅବତରଣ କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ଝରକା ପରଦା ତଳକୁ କରିବାକୁ ଏବଂ ଫଟୋଗ୍ରାଫି/ଭିଡିଓଗ୍ରାଫି ଏଡାଇବାକୁ ବାଧ୍ୟତାମୂଳକ ଭାବରେ ଘୋଷଣା କରିବାକୁ ପଡିବ।

ଅଧିକ ପଢନ୍ତୁ

kc ads