ଏଣିକି ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ ଯାତ୍ରୀ

ଅନେକ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ପାଖରେ ଅଧିକ ଟଙ୍କା ରଖିବାକୁ ଭୟ ଲାଗିଥାଏ। ବିଶେଷ କରି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲୋକେ ଅଧିକାଂଶ ଚିନ୍ତା କରନ୍ତି। କିନ୍ତୁ ଏବେ ଆଉ ସେ ଭୟ ରହିବ ନାହିଁ। ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି । ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍‌ରେ ସ୍ଥାପନ କରାଯାଇଛି ଏବଂ ଏହାର ପରୀକ୍ଷାମୂଳକ ପ୍ରଦର୍ଶନ ସଫଳତାର ସହ ସମାପ୍ତ କରିଛି।ଏହି ମେସିନ୍ ଯାତ୍ରୀମାନଙ୍କୁ ଟ୍ରେନ ଚାଲୁଥିବା ସମୟରେ ମଧ୍ୟ ଟଙ୍କା ଉଠାଇବାକୁ ଅନୁମତି ଦିଏ। ଏହାକୁ ଭାରତୀୟ ରେଳବାଇର ଅଭିନବ ଏବଂ ଅଣ-ଭଡ଼ା ରାଜସ୍ୱ ଧାରଣା ଯୋଜନା (INFRIS) ର ଅଂଶ ଭାବରେ ପ୍ରଚଳନ କରାଯାଇଛି।

ଏହି ପଦକ୍ଷେପ ଭାରତୀୟ ରେଳବାଇର ଭୁସାୱଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ସହଯୋଗୀତାରେ କରାଯାଇଛି।ଏହି ନୂତନ ସୁବିଧା ବିଶେଷ ଭାବରେ ସେହି ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଯେଉଁମାନେ ଅନଲାଇନ୍ ପେମେଣ୍ଟ କରନ୍ତି ନାହିଁ ଏବଂ ସମସ୍ତ ପେମେଣ୍ଟ କେବଳ ନଗଦରେ କରନ୍ତି। ଏହା ସହିତ ଟ୍ରେନରେ ଅନଲାଇନ ପେମେଣ୍ଟ ନ କରି ପାରୁଥିବା କିମ୍ବା ଟଙ୍କା ସରିଯିବା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଏକ ଆଶ୍ୱସ୍ତି ଖବର। ଟ୍ରେନରେ ସ୍ଥାପିତ ଏଟିଏମ୍ ସେମାନଙ୍କୁ ଯାତ୍ରା ସମୟରେ ଟଙ୍କା ଉଠାଇବାର ସୁବିଧା ଯୋଗାଇବ।ଟ୍ରେନରେ ସ୍ଥାପିତ ହେବାକୁ ଥିବା ଏଟିଏମ୍ ମେସିନର ପରୀକ୍ଷଣ ସମୟରେ, ରେଳ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ଯେ ଚଳନ୍ତା ଟ୍ରେନରେ ଏଟିଏମ୍ ଠିକ୍ ଭାବରେ କାମ କରିପାରିବ କି ନାହିଁ। ନେଟୱାର୍କ ସଂଯୋଗ, ସୁରକ୍ଷା, ଗୋପନୀୟତା, ଯାତ୍ରୀ ସୁବିଧା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ପ୍ରତି ଧ୍ୟାନ ଦିଆଯାଉଛି।

ଅଧିକ ପଢନ୍ତୁ

Odisha Darpan Digital