ଏଣିକି ଛେପରୁ ଜାଣିପାରିବେ ଭବିଷ୍ୟତରେ ହେବ କେଉଁ ରୋଗ

ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧୀନ ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଦ୍ଵାରା ପୁଣି ଏକ ଗବେଷଣା ସଫଳ ହୋଇଛି । ଏଣିକି ବ୍ୟକ୍ତିର ଛେପରୁ ଭବିଷ୍ୟତରେ ତାଙ୍କୁ ହେବାକୁ ଥ‌ିବା ରୋଗ ବିଷୟରେ ଜଣାପଡ଼ିବ। ଏନେଇ ଏକ କିଟ୍ ପ୍ରସ୍ତୁତ କରାଯାଇଛି । ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଏବଂ ଏହି ବିଭାଗର ଷ୍ଟାର୍ଟଅପ୍ ୱିଣ୍ଡ ଡିଏନ୍‌ଏ ଲାଇଫ୍‌ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହୋଇଛି । ଏଥିରୁ ଲୋକେ ଆଗକୁ ରୋଗ ସମ୍ପର୍କରେ ସୂଚନା ପାଇ ପାରିବେ ବୋଲି ଆଶା କରାଯାଉଛି ।ଏପର୍ଯ୍ୟନ୍ତ ୪୦୦ ଲୋକଙ୍କ ଥୁକ୍ କିଟ୍ ମାଧ୍ୟମରେ ସଂଗ୍ରହ ହୋଇ ମୁମ୍ବାଇ ପଠାସରିଲାଣି । ଏହା ଦ୍ୱାରା କେବଳ ରୋଗ ଚିହ୍ନଟ ହେବ ତା ନୁହେଁ ବରଂ ସେହି ରୋଗ ସମ୍ବନ୍ଧୀୟ ଔଷଧ ମଧ୍ୟ ପ୍ରଦାନ କରାଯିବ । ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ନୂଆ ଅଭିଯାନ ଆଗକୁ ସ୍ୱାସ୍ଥ୍ୟ ସେବାରେ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ଏକ ଅଗ୍ରଗାମୀ ପଦକ୍ଷେପ ।ଖାସକରି କର୍କଟ, ମଧୁମେହ, ଯକୃତ, ହୃଦ୍‌ରୋଗ ଏବଂ ଆର୍ଥାରାଇଟିସ୍ ଭଳି ରୋଗ ହେବ କି ନାହିଁ ତାହା ଜଣାପଡ଼ିବ ଏବଂ ପ୍ରତିକାର କରାଯାଇପାରିବ । ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଲ୍ୟାବ୍‌ରେ କେବଳ ଛେପ ସଂଗ୍ରହ କରାଯିବ ଏବଂ ଏହାକୁ ପରୀକ୍ଷା ପାଇଁ ମୁମ୍ବାଇ ସ୍ଥିତ ଲ୍ୟାବ୍‌କୁ ପଠାଯିବ । ଆଗକୁ ଏହି ପରୀକ୍ଷା ସମ୍ବଲପୁର ବିଶ୍ଵବିଦ୍ୟାଳୟରେ କିପରି ହେବ ଯୋଜନା କରାଯାଉଛି । ପରୀକ୍ଷା ପାଇଁ କିଟ୍ ମାଗଣାରେ ଦିଆଯାଉଥିବା ବେଳେ ପରୀକ୍ଷା ଖର୍ଚ୍ଚ ୮ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ପରୀକ୍ଷା ରିପୋର୍ଟ ଆସିବାକୁ ଅତି କମ୍‌ରେ ଏକମାସ ସମୟ ଲାଗୁଛି । ଚିକିତ୍ସା ବିଜ୍ଞାନରେ ଏହା ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇପାରିବ।

ଅଧିକ ପଢନ୍ତୁ