ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ରେଜିଷ୍ଟରରେ ଦରଜ କରିପାରିବେ। ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପୂଜାରୀ ଆଜି ଲୋକସେବା ଭବନରେ ବିଭାଗୀୟ ଅଧିକାରୀମାନଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ତହସିଲ ଓ ସବରେଜିଷ୍ଟ୍ରାର ଅଫିସରେ ଗୋଟିଏ ଲେଖାଏଁ ରେଜିଷ୍ଟର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ବିଭିନ୍ନ ଅନୁଷ୍ଠାନକୁ ଯେଉଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍ ବ୍ୟବହାର କରୁନାହାନ୍ତି ତେବେ ସେହି ଜମିକୁ ସରକାର ଫେରାଇନେବେ ବୋଲି ମନ୍ତ୍ରୀ ପୂଜାରୀ ସ୍ପଷ୍ଟ କରିବା ସହ ରାଜସ୍ବ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା, ବାସସ୍ଥାନ, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଘରଡ଼ିହ ଶୂନ୍ୟ ବ୍ୟକ୍ତିମାନଙ୍କୁ ଘରଡ଼ିହ ଯୋଗାଇଦେବା, ଭୂମିହୀନ ଲୋକମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଅବସ୍ଥା ସର୍ବେକ୍ଷଣ କରାଯାଇ ସେମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯିବା, ସମସ୍ତ ବିଦ୍ୟାଳୟଗୁଡ଼ିକୁ ଜମିର ପଟ୍ଟା ଯୋଗାଇ ଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନୂଆ ରାଜସ୍ୱ ଗ୍ରାମ ଘୋଷଣା କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷସୁଦ୍ଧା କାର୍ଯ୍ୟକାରୀ କରାଯିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ।