ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନରେ କାର୍ଯ୍ୟ କରିପାରିବେ

ଦୀର୍ଘଦିନ ଧରି ଘରୋଇ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାର୍ଯ୍ୟ କରିବା ନେଇ ଥିବା ସରକାରୀ ବାଧ୍ୟବାଧକତାକୁ ଏବେ କୋହଳ କରାଯାଇଛି। ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି।ରାତିରେ କାମ କରିବାକୁ ଇଚ୍ଛୁକ ମହିଳା କର୍ମଚାରୀଙ୍କ ସମ୍ମତି ଲିଖିତ ଭାବରେ ନିଆଯିବ । ରାତିରେ ଅତି କମ୍‌ରେ ୩ ଜଣ ମହିଳା କର୍ମଚାରୀ ରହିବେ । ସେଥିପାଇଁ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ବାସସ୍ଥାନରୁ ନେବା ଆଣିବା କରିବା ପାଇଁ GPS ଟ୍ରାକିଂ ସିଷ୍ଟମ ସହିତ ପରିବହନ ସୁବିଧା ଯୋଗାଇ ଦିଆଯିବ । ସମ୍ପୃକ୍ତ ସଂସ୍ଥା ରାତ୍ରିରେ ନେବା ଆଣିବା ପାଇଁ ରହିଥିବା ପ୍ରତ୍ୟେକ ଡ୍ରାଇଭରଙ୍କ ବାୟୋଡାଟା ପୁଲିସ ଯାଞ୍ଚ କରିବ ।ବିଜ୍ଞପ୍ତିରେ ଶ୍ରମବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗ୍‌ମ ଦର୍ଶାଇଛନ୍ତି, ରାଜ୍ୟ ସରକାର ଏହା ମାଧ୍ୟମରେ ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଗୁ ହୋଇଥିବା ଧାରା-୨୩କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି; ଯାହାଦ୍ୱାରା ଘରୋଇ ପ୍ରତିଷ୍ଠାନରେ ମହିଳାମାନଙ୍କ ପାଇଁ ରାତିରେ କାମ କରିବାର ସୁଯୋଗ ସୃଷ୍ଟି ହୋଇପାରିବ। ଏହାସହିତ ‘ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌’କୁ ଆଧାର କରି ସେମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇପାରିବ। ତେବେ ନିଯୁକ୍ତିଦାତା ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିବା କାର୍ଯ୍ୟସ୍ଥଳରେ ଶୌଚାଳୟ ଏବଂ ପାନୀୟ ଜଳ ସୁବିଧା ଯୋଗାଇବେ । ଏହା ସହ ସମସ୍ତ ସ୍ଥାନରେ ସିସିଟିଭି ଏବଂ ଲାଇଟ୍‌ ସୁବିଧା ସହ ରାସ୍ତା ବ୍ୟବସ୍ଥା ରହିବ ।

ଅଧିକ ପଢନ୍ତୁ