ଏଣିକି ସବୁ ଟ୍ରେନରେ ପୁନର୍ବାର ଉପଲବ୍ଧ ହେବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଟ୍ରେନରେ ରନ୍ଧା ଖାଦ୍ୟ ପରିବେଷଣର ସୁବିଧାକୁ ପୁନଃ ସ୍ଥାପିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮୦ପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଫେବୃଆରୀ ୧୪ ସୁଦ୍ଧା ଶତପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଉପଲବ୍ଧ ହେବ। ଉଲ୍ଲେଖ ଯୋଗ୍ୟ ଯେ, କୋଭିଡ-୧୯ ହେତୁ ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଇବା ସୁବିଧା ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୩ ତାରିଖ ୨୦୨୦ରେ ମହାମାରୀ ହେତୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରେନରେ କ୍ୟାଟରିଂ ସେବା ବନ୍ଦ କରାଯାଇଥିଲା। ଯାତ୍ରୀମାନଙ୍କ ସୁବିଧା ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଟ୍ରେନରେ ଦିଆଯାଇଥିବା ଖାଦ୍ୟରେ ସୁସ୍ଥ ଉପାଦାନଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହାଦ୍ୱାରା ଯାତ୍ରୀମାନେ ଟ୍ରେନରେ ପୁଷ୍ଟିକର ଖାଦ୍ୟ ପାଇପାରିବେ। ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆରସିଟିସି) ହେଉଛି ରେଳ ମନ୍ତ୍ରଣାଳୟର ଏକ ପବ୍ଲିକ୍ ସେକ୍ଟର, ଯାହା ଭାରତୀୟ ରେଳବାଇର ଯାତ୍ରୀମାନଙ୍କୁ ପ୍ରିମିୟମ୍ ସେବା ଯୋଗାଇଥାଏ।

ଅଧିକ ପଢନ୍ତୁ