ଏଥର ରାତିରେ ବି ବୁଲିହେବ ନନ୍ଦନକାନନ । 

ଏଣିକି ରାତିରେ ନାନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ ଲୋକେ। ଏକ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ‘ନାଇଟ୍ ଆଉଟ୍ ଆଟ୍ ପ୍ରାଣୀ ଉଦ୍ୟାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ବର୍ତ୍ତମାନ ରାତିରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ। ପ୍ରତି ରବିବାର ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନରେ ନାଇଟ୍ ଆଉଟ୍ ନାମକ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା କେବଳ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ଶିକ୍ଷାଗତ କାର୍ଯ୍ୟକ୍ରମ । ଛୋଟ ପିଲାମାନେ ଅନୁମତି ପାଇବା ପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାତ୍ରିଚର ଜୀବଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ । ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମ କେବଳ ରବିବାର ଅନୁଷ୍ଠିତ ହେବ। ଯେଉଁଥିରେ ମାତ୍ର ୨୦ଜଣ ପିଲା ଅଂଶଗ୍ରହଣ କରିପାରିବେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପିଲାମାନଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡ଼ି ଯୋଗାଇ ଦିଆଯିବ ଏବଂ ଏଥିପାଇଁ କୌଣସି ଅଧିକ ଅର୍ଥ ଦେବାକୁ ପଡ଼ିବ ନାହିଁ। www.nandankanan.org ମାଧ୍ୟମରେ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିହେବ।

ପଞ୍ଜୀକରଣ ବାବଦରେ ଜଣଙ୍କ ପିଛା ୨୫୦ ଟଙ୍କା ଲେଖାଏ ଦେବାକୁ ପଡ଼ିବ। ଯିବାକୁ ଥିବା ପିଲାମାନେ ସନ୍ଧ୍ୟା ୬ଟା ୧୫ ସୁଦ୍ଧା ବହୁମୁଖୀ କାର୍‌ ପାର୍କିଂ ସ୍ଥଳରେ ରିପୋର୍ଟ କରିବେ। ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୩୦ ମଧ୍ୟରେ ସେମାନେ ନନ୍ଦନକାନନ ପରିସରରେ ଭ୍ରମଣ କରିବାର ସୁଯୋଗ ପାଇବେ। ପ୍ରବେଶ ସମ‌ୟରେ ସେମାନେ ଅନ୍‌ଲାଇନ୍‌ ଟିକେଟ୍‌ ପ୍ରଦର୍ଶନ କରିବା ବାଧ୍ୟତାମୂଳକ। ଯେଉଁମାନେ ଭିତରକୁ ଯିବେ ସେମାନେ ସାଙ୍ଗରେ କୌଣସି ବ୍ୟାଗ୍‌/ସାମଗ୍ରୀ ନେବା ଉପରେ କଟକଣା ଲଗାଯାଇଛି। ଚିଡ଼ିଆଖାନାର ଭଲ୍ୟୁଣ୍ଟରମାନେ ଯେଉଁ ପରାମର୍ଶ ଦେବେ ତାହାକୁ ମାନିବାକୁ ସେମାନେ ବାଧ୍ୟ। କାର୍ଯ୍ୟକ୍ରମ ସମୟରେ ଡିଏସ୍‌ଏଲ୍‌ଆର ଓ ଭିଡିଓ ରେକର୍ଡିଂ ସାମଗ୍ରୀ ଉପରେ ମଧ୍ୟ କଟକଣା ଲଗାଯାଇଛି।

ଅଧିକ ପଢନ୍ତୁ