
ନୟାଗଡ଼,(ଓଡ଼ିଶା ଦର୍ପଣ):ଚଳିତ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ନୟାଗଡ଼ ଏନଏସି ହାଇସ୍କୁଲ ସଭା ଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଅଭିଭାବକମାନଙ୍କୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ “ଆସ ସ୍କୁଲ ଯିବା” ଅଭିଯାନ,ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକା ମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା ଓ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ସୁନିଶ୍ଚିତ
କରିବା,ମା’ଙ୍କ ପାଇଁ ଗଛ ଟିଏ, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନର ବ୍ୟବସ୍ଥା,ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା ସହିତ ସ୍ବଚ୍ଛତା ପକ୍ଷ ପାଳନ,ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଆଦି ଉପକରଣ ବିତରଣ,ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନରେ ପିତାମାତାଙ୍କ ଭୂମିକା,
ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ତଥା ଅଭିଭାବକ ଓ ଶିକ୍ଷକମାନଙ୍କର ଭୂମିକା,
ଅଭିଭାବକମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆ, ଉମାକାନ୍ତ ମିଶ୍ର, ଲକ୍ଷ୍ମୀଧର ସାହୁ, ସୁଚିତ୍ରା ଦେବୀ, ରୋଜାଲିନ ମିଶ୍ର, ଭବାନୀ କୁମାରୀ ଆଚାର୍ଯ୍ୟ, ସୌଦାମିନୀ ପ୍ରଧାନ, ଜ୍ୟୋତିର୍ମୟୀ ରଥ, ସ୍ଵାଗତିକା ଦଳେଇ, ଅଶୋକ ମିଶ୍ର, ସ୍ମିତା ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଅଭିଭାବକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
By:Laxmidhar Sahoo