ଏନଏସି ଓ ମୁନିସିପାଲିଟି ଘୋଷଣା ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କିଛି ଘୋଷଣା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି ଘୋଷଣା ହେବ । ତେବେ ୨୮ଟି ଏନଏସି ଘୋଷଣା କରାଯିବ । ବର୍ତ୍ତମାନ ୪ଟି ମ୍ୟୁନିସିପାଲଟି ଘୋଷଣା ହୋଇଛି । ରାଜ୍ୟପାଳଙ୍କ ସ୍ୱୀକୃତି ଅନୁଯାୟୀ ଘୋଷଣା କରାଯାଇଛି । ସୁଚନା ମୁତାବକ ଗତକାଲି ୫ଟି ମୁନିସିପାଲିଟି ଓ ୨୪ ଏନଏସି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବୌଦ୍ଧ ଜିଲ୍ଲାରେ ବୌଦ୍ଧଗଡ଼କୁ ମୁନିସିପାଲିଟି ଘୋଷଣା କରାଯାଇଥିବା ବେଳେ ଗଞ୍ଜାମର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆକୁ ମୁନିସିପାଲିଟି ଘୋଷଣା କରାଯାଇଛି। ସେହିପରି ୧୪ ଜିଲ୍ଲାରେ୨୪ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ଘୋଷଣା କରାଯାଇଛି।ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୫ଟି ନୂଆ ଏନଏସି ଘୋଷଣା ହୋଇଥିବା ବେଳେ କଟକରେ ୩ଟି ଏନଏସି ଘୋଷଣା ହୋଇଛି। ଅନୁଗୁଳ ଜିଲ୍ଲାର ପାଲଲହଡ଼ାକୁ ଏନଏସି ଘୋଷଣା କରାଯାଇଛି। ବାଲେଶ୍ବର ଜିଲ୍ଲାର ସିମୁଳିଆ, ବରଗଡ଼ ଜିଲ୍ଲାର ସୋହେଲା, ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧୁସୁରି, କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା ଓ ନରସିଂହପୁରକୁ ଏନଏସି ଘୋଷଣା କରାଯାଇଛି।ସେହିପରି ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଓ ପାତ୍ରପୁର, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବୋରିଗୁମା, ମୟୂରଭଞ୍ଜ ଜିଲ୍ଲାର ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା ଓ ରାସଗୋବିନ୍ଦପୁରକୁ ଏନଏସି ଘୋଷଣା ହୋଇଛି। ରାୟଗଡ଼ା ଜିଲ୍ଲାର ବିଷମକଟକ, ସମ୍ବଲପୁର ଜିଲ୍ଲାର ବାମରା ଓ ରେଙ୍ଗାଲି ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରକୁ ଏନଏସି ଘୋଷଣା କରିଛନ୍ତି ସରକାର।
