ରାଜ୍ୟରେ ଆସନ୍ତା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଆୟୁଷ୍ମାନ୍ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହାସହ ଆୟୁଷ୍ମାନ୍ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା କରାଯିବ।ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ । ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ ଲୋକ ଉପକୃତ ହେବେ। ଏହି ଦୁଇଟି ଯୋଜନା ଓଡ଼ିଶାରେ ସଂଯୁକ୍ତ ଭାବରେ କାର୍ଯ୍ୟକାରୀ କରାଯିବ । ଦୁଇଟି ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଯୋଗାଇ ଦିଆଯିବ। ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ପାଇବେ ।
