ଏବେ ରୋବଟ୍ ଲିଭାଇବ ଭୟଙ୍କର ନିଆଁ

ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା ନିମନ୍ତେ ଏହି ଅବସରରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍‌ ମନିଟରକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ରୋବୋଟ୍ ଦେଖାଇବ ନିଆଁ ଲିଭାଇବାର କୌଶଳ।ଯେଉଁ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟୁଛି, ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପାରୁନି। ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଏହି ରୋବଟ କିନ୍ତୁ ନିଆଁ ଭିତରେ ପଶିବ ଓ ତତ୍‌କ୍ଷଣାତ ନିଆଁ ଲିଭାଇବ।

ଜଣେ ଅଗ୍ନିଶମ କର୍ମଚାରୀ ଏହାର ରିମୋଟକୁ ନିୟନ୍ତ୍ରଣ କରିବେ । ଏହି ରୋବଟ ଭିତରେ ପାଣି ପଶିବ । ନିଆଁ ଲାଗିଥିବା ସ୍ଥାନକୁ ଯାଇ ଉକ୍ତ ମେସିନଟି ପାଣି ସ୍ପ୍ରେ କରିବ । ଏଥିସହ ଅତ୍ୟଧିକ ଉତ୍ତାପରେ ବି ମନିଟରକୁ ଥଣ୍ଡା ରଖିବାକୁ ବ୍ୟବସ୍ଥା କରାଯାଇଛି।ଏହି ରୋବଟରେ ୩୬୦ ଡିଗ୍ରୀ କ୍ୟାମେରା ବ୍ୟବହାର କରାଯାଇଛି। ଥର୍ମାଲ ଓ ନର୍ମାଲ କ୍ୟାମେରା ବ୍ୟବହାର ହୋଇଛି। ନର୍ମାଲ କ୍ୟାମେରା ଦ୍ୱାରା ଆଗରେ ରାସ୍ତା କ୍ଲିୟର ଅଛି ନା ନାହିଁ ତାହା ଜଣାପଡ଼ିବ । ଥର୍ମାଲ କ୍ୟାମେରା ଦ୍ୱାରା ନିଆଁ ଲାଗିବା ଦ୍ୱାରା ଚାରିଆଡ଼େ ଧୂଆଁମୟ ହୋଇଗଲେ ଆଗରେ କ’ଣ ଅଛି ତାହା ଜଣାପଡ଼ିବ । ୧ କିମି ଦୂରରୁ ଏହାକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରିହେବ ।ସହରର ଗଳି କନ୍ଦିରେ କୌଣସି ସ୍ଥାନରେ ନିଆଁ ଲାଗିଲେ ସେଠାରେ ପହଞ୍ଚିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କାଠିକର ପାଠ ହେଉଥିବା ବେଳେ ଏହି ରୋବଟ କିନ୍ତୁ ଅନାୟସରେ ଘଟଣାସ୍ଥଳରେ ପହଞ୍ଚିପାରିବ ।

ଅଧିକ ପଢନ୍ତୁ

Odisha Darpan Digital