ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ବାସନା । ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ । ଗଲା ୫ଦିନ ଭିତରେ ଦେଶରେ LPG ଉତ୍ପାଦନ ୨୮% ବୃଦ୍ଧି ପାଇଛି । ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୪୦ କୋଟି ଭାରତୀୟଙ୍କ ଉପରେ ବିଶ୍ବାସ ରହିଛି, କୋଭିଡ୍ ସମୟ ପରି ଆମେ ଏହି ସଙ୍କଟକୁ ମଧ୍ୟ ଦୂର କରିବୁ ବୋଲି ଦେଶବାସୀଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।ରାଜନୈତିକ ପ୍ରସଙ୍ଗ ଛାଡ଼ି କିଛି ଲୋକ ଏଲପିଜି ସମ୍ପର୍କରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କହି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ମାନଙ୍କୁ ସମାଲୋଚନା କରିଛନ୍ତି । ପଶ୍ଚିମ ଏସିଆରେ ସଂଘର୍ଷରୁ ସୃଷ୍ଟି ହୋଇଥିବା ବର୍ତ୍ତମାନର ସଙ୍କଟକୁ ମୁକାବିଲା କରିବାରେ ସମସ୍ତ ଏକ ହୁଅନ୍ତୁ । ରାଜନୈତିକ ଦଳ, ଜନସାଧାରଣ ଏବଂ ଗଣମାଧ୍ୟମ ଗୁଡ଼ିକର ମଧ୍ୟ ଏଭଳି ସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।ଅନ୍ୟପଟେ ରାଜ୍ୟ ସରକାର କହିଛନ୍ତି ଯେ ଓଡ଼ିଶାରେ ପ୍ରଚୁର ମାତ୍ରାରେ ଗ୍ୟାସ ଉପଲବ୍ଧ ଅଛି। କୌଣସି ସମସ୍ୟା ନାହିଁ। ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ। କିନ୍ତୁ ଦେଶରେ ଗ୍ୟାସର ଅଭାବ ନାହିଁ ବୋଲି ସରକାର କହୁଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ଆଜି ମଧ୍ୟ ସାଧାରଣ ଲୋକ ଗ୍ୟାସ୍ ପାଇଁ ଲମ୍ବା ଲାଇନ୍ ଲଗାଉଥିବାର ଦେଖିବାକୁ ମିଳିଛି ।
