ଏହିମାନଙ୍କୁ ଘର କରିବା ପାଇଁ ଜମି ଯୋଗାଇଦେବେ ସରକାର

ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ସରକାର ବାସହୀନଙ୍କୁ ନେଇ ଯେଉଁ ସର୍ଭେ କରିଥିଲା ତାହାର ସଂଜ୍ଞା ବଦଳାଯାଇ ନୂତନ ସଂଶୋଧିତ ବାସହୀନ ସଂଜ୍ଞା ଅନୁଯାୟୀ ପୁନର୍ବାର ବାସହୀନ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ୪ ଡେସିମିଲରୁ କମ୍ ଜମି ଥିବା ବ୍ୟକ୍ତିଙ୍କୁ ଘର କରିବା ପାଇଁ ଜମି ଯୋଗାଇଦେବେ ସରକାର । କାରଣ ସେମାନଙ୍କୁ ମଧ୍ୟ ଭୂମିହୀନ ଭାବେ ବିଚାର କରାଯିବ । ପୂର୍ବରୁ ରାଜ୍ୟରେ ଭୂମିହୀନଙ୍କ ସର୍ଭେ ସରିଛି । ଗ୍ରାମାଞ୍ଚଳରେ ଆଦୌ ଜମି ନଥିବା ପରିବାର ଚିହ୍ନଟ କରିବାକୁ ଗତବର୍ଷ ୧୬ ଅଗଷ୍ଟରୁ ୩୧ ଅକ୍ଟୋବର ମଧ୍ୟରେ ସର୍ଭେ କରାଯାଇଥିଲା । ଏମାନଙ୍କୁ ଘର ଖଣ୍ଡିଏ କରିବା ପାଇଁ ଜମି ଯୋଗାଇ ଦେବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

ଜମି ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି ହେଲେ ଏହାରି ଭିତରେ ବସୁନ୍ଧରା ଯୋଜନାରେ କିଛି ସଂଶୋଧନ କରାଯାଇଛି । ଫଳ ରେ ୪ ଡେସିମିଲରୁ କମ୍ ଜମି ଥିବା ପରିବାରକୁ ମଧ୍ୟ ଭୂମିହୀନ ଭାବେ ଗଣାଯିବ ।ବାସହୀନ ବ୍ୟକ୍ତିଙ୍କ ପାଇଁ ଯେଉଁ ପରିମାଣର ଜମି ସରକାର ଯୋଗାଇବେ ତାହା ଏପରି ହେବା ଉଚିତ୍‌ ଯେ, ସେ ବ୍ୟକ୍ତି ତାଙ୍କ ନିଜ ଗୃହଯୋଗ୍ୟ ଜମି ଓ ତାଙ୍କ ସାଙ୍ଗରେ ଥିବା ପରିବାର ଲୋକଙ୍କ ଗୃହଯୋଗ୍ୟ ଜମିକୁ ମିଶାଇ ମୋଟ ୧/୨୫ ଏକରକୁ ଅତିକ୍ରମ କରୁ ନ ଥିବ।
ଯଦି ଅପେକ୍ଷିତ ଜମି ଉପଲବ୍ଧ ନାହିଁ, ତେବେ ଉପଲବ୍ଧତା ଅନୁଯାୟୀ ଭାଗବାଣ୍ଟି ହେବ। ସେହିପରି ନିୟମ ୭(୩)ର ଅନୁଯାୟୀ, ବାସହୀନ ବ୍ୟକ୍ତିଙ୍କୁ ଯେଉଁ ଜମି ଦିଆଯିବ, ସେହି ଜମି ଉତ୍ତରାଧିକାରଯୋଗ୍ୟ କିନ୍ତୁ ବ୍ୟବହାରଯୋଗ୍ୟ ହୋଇପାରିବ ନାହିଁ। ନୂତନ ସଂଶୋଧନ ଫଳରେ ଅଧିକ ବ୍ୟକ୍ତି ବାସହୀନ ବୋଲି ଚିହ୍ନଟ ହେବେ ଓ ସେମାନେ ଜମି ପାଇଁ ଯୋଗ୍ୟହେବେ। ଗ୍ରାମାଞ୍ଚଳରେ ଥିବା ବାସହୀନ ପରିବାରଗୁଡ଼ିକ ଅନୁସୂଚିତ ନିୟମ ଅନୁଯାୟୀ ଚିହ୍ନଟ କରାଯିବେ। ବାସହୀନ ଚିହ୍ନଟ ସମ୍ପୂର୍ଣ୍ଣ ହେବାର ଅବଧି ୩୧ ଡିସେମ୍ବର ୨୦୨୫ ରଖାଯାଇଛି। ଏହି ସମୟ ମଧ୍ୟରେ ନୂତନ ଚିହ୍ନଟ ଓ ପୁରୁଣା ତାଲିକାରେ ଥିବା ବ୍ୟକ୍ତିଙ୍କୁ ଜମି ବଣ୍ଟନ ପ୍ରକ୍ରିୟା ଚାଲୁରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଅଧିକ ପଢନ୍ତୁ

kc ads