ଏହି କାରଣରୁ ବ୍ୟାଡମିଣ୍ଟନରୁ ଅବସର ନେଲେ ସାଇନା ନେହୱାଲ

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ପ୍ରଥମ ସଫଳ ଅଲିମ୍ପିଆନ୍‌ ସାଇନା ନେହ୍ବାଲ ବିନା ଘୋଷଣାରେ ଅବସର ନେଇଯାଇଛନ୍ତି । ପ୍ରତିଯୋଗିତାରୁ ଦୀର୍ଘ ସମୟ ଅନୁପସ୍ଥିତ ରହିବା ସତ୍ତ୍ୱେ, ନେହୱାଲ ବ୍ୟାଡମିଣ୍ଟନରୁ ତାଙ୍କର ଅବସର ଘୋଷଣା କରି ନଥିଲେ। ସେ ଅବସର ନେବାର ନିଶ୍ଚିତ କରି ଏକ ପଡକାଷ୍ଟରେ କହିଛନ୍ତି ଯେ ନିଜେ ଅନୁଭବ କଲି ଆଗକୁ ବଢିପାରିବି ନାହିଁ, ଶାରୀରିକ ପ୍ରତିବନ୍ଧକ ବାଟ ଓଗାଳିଛି, ତେଣୁ ଏହା ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ଏଲିଟ୍ ସ୍ପୋର୍ଟ୍ସର ପ୍ରତିଦ୍ୱନ୍ଦିତା ସ୍ତର ପାଇଁ ଆବଶ୍ୟକ ଶାରୀରିକ ସକ୍ଷମତା ମୋ ନିକଟରେ ଆଉ ନାହିଁ। ଏଥି ସହ ଖାପଖୁଆଇବା ପାଇଁ ଶରୀର ବି ସାଥ ଦେଉନାହିଁ। ନେହୱାଲ କହିଛନ୍ତି ଯେ ତାଙ୍କ ଆଣ୍ଠୁର ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି।୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ସାଇନଙ୍କ ଆଣ୍ଠୁ ସମସ୍ୟା ଦେଖା ଦେଇଥିଲା । ଏହା ତାଙ୍କ କ୍ୟାରିୟର୍‌କୁ ବିଶେଷ ପ୍ରଭାବିତ କରିଥିଲା । ତଥାପି ସେ ନିଜର ସାଧ୍ୟମତେ ଚେଷ୍ଟା କରି ଖେଳିଥିଲେ । ୨୦୧୭ରେ ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଏବଂ ୨୦୧୮ରେ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଆଣ୍ଠୁ ସମସ୍ୟା ତାଙ୍କୁ ନିରନ୍ତର ଭାବେ ଅଡୁଆରେ ପକାଉଥିଲା । ୨୦୨୪ରେ ସେ ଘୋଷଣା କରିଥିଲେ ଆର୍ଥାଇଟିସ୍‌ ଅଛି ଏବଂ କାର୍ଟିଲେଜ୍‌ ଛିଡ଼ିବା ଆରମ୍ଭ କରିଛି ।

ଅଧିକ ପଢନ୍ତୁ