ସ୍ୱାଧୀନତା ପରେ ଭାରତର ଆଗାମୀ ଏବଂ ଅଷ୍ଟମ ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୬ରୁ ଆରମ୍ଭ ହେବ। ଯେଉଁଥିରେ ସାରା ଦେସର ପରିବାର ଗଣନା କରାଯିବ। ଏନେଇ ସୂଚନା ଦେଇଛନ୍ତି ଭାରତର ରେଜିଷ୍ଟ୍ରାର ଜେନେରାଲ। ଘର ଗଣନା କାର୍ଯ୍ୟ ନିମନ୍ତେ ସୁପରଭାଇଜର, ଗଣନାକାରୀ ନିଯୁକ୍ତି ଦେବା ସହିତ ସେମାନଙ୍କ ପାଇଁ କାମ ଆବଣ୍ଟନ କରିବାକୁ କୁହାଯାଇଛି। ଜନଗଣନା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଘରକୁ ଗଣନା କରାଯିବ। ଏହି ସମୟରେ ଘରେ କି ପ୍ରକାର ଆସବାବପତ୍ର ରହିଛି, ଘରର ରୋଜଗାର, କି ପ୍ରକାର ଘର, ଘରର ସ୍ଥିତି ଇତ୍ୟାଦିର ତଥ୍ୟ ସଂଗ୍ରହ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ(୧ ଫେବୃଆରୀ, ୨୦୨୭ ରୁ) ଜନସଂଖ୍ୟା ଗଣନା କରାଯିବ। ଅର୍ଥାତ୍ ପ୍ରତ୍ୟେକ ଘରେ ରହୁଥିବା ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଯେପରିକି ସଦସ୍ୟଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି, ସଂସ୍କୃତି, ଜାତି, ଧର୍ମ ଆଦି ବ୍ୟକ୍ତିଗତ ସୂଚନା ନିଆଯିବ। ପ୍ରଥମ କରି ଏହି ଜନଗଣନାରେ ଜାତି ଗଣନା କରାଯିବ। ଜନଗଣନା ସମୟରେ ଲୋକଙ୍କ ଠାରୁ କି ପ୍ରକାର ତଥ୍ୟ ସଂଗ୍ରହ କରାଯିବ ସେଥିପାଇଁ ଏକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ଜନଗଣନା କାର୍ଯ୍ୟର ସଠିକତା ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ, କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଡିସେମ୍ବର ୩୧, ୨୦୨୫ ପୂର୍ବରୁ ପ୍ରଶାସନିକ ୟୁନିଟ୍ଗୁଡ଼ିକର ସୀମାରେ ଯେକୌଣସି ପ୍ରସ୍ତାବିତ ପରିବର୍ତ୍ତନ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ କରାଯାଇଥିବା ପରିବର୍ତ୍ତନକୁ ଜନଗଣନା କାର୍ଯ୍ୟ ପାଇଁ ଚୂଡ଼ାନ୍ତ ବିବେଚନା କରାଯିବ ନାହିଁ।
ଭାରତର ଜନଗଣନା କମିଶନର ଏବଂ ରେଜିଷ୍ଟ୍ରାର ଜେନେରାଲ ମୃତ୍ୟୁଞ୍ଜୟ କୁମାର ନାରାୟଣ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ ଜନଗଣନା ପାଇଁ ସମସ୍ତ ଗ୍ରାମ ଏବଂ ସହରକୁ ସମାନ ଗଣନା ବ୍ଲକରେ ବିଭକ୍ତ କରାଯାଇଛି।ଏହାସହ ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଗଣନାକାରୀଙ୍କୁ ନିଯୁକ୍ତ କରାଯାଇଛି, ଯାହା ଦ୍ଵାରା ଜନଗଣନା ସମୟରେ କୌଣସି ବାଦ କିମ୍ବା ନକଲକୁ ଏଡାଯାଇପାରିବ।ନିୟମ ଅନୁଯାୟୀ, ଜିଲ୍ଲା, ଉପ-ଜିଲ୍ଲା, ତହସିଲ, ତାଲୁକା ଏବଂ ଥାନା ଭଳି ପ୍ରଶାସନିକ ୟୁନିଟ୍ଗୁଡ଼ିକର ସୀମା ନିର୍ଦ୍ଧାରଣ କରିବାର ତିନି ମାସ ପରେ ହିଁ ଜନଗଣନା କରାଯାଇପାରିବ।