ଗତ ୫ମାସ ତଳେ ଓଟିଏସ୍ ସ୍କିମ୍ ଲାଗୁ କରିଥିଲେ ରାଜ୍ୟ ସରକାର | ଇତିମଧ୍ୟରେ ମାତ୍ର ୧୦% ଜରିମାନା ଅର୍ଥ ଆଦାୟ ହୋଇଛି । ପରିବହନ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୭ଟି ଏମ୍ଭି ଆକ୍ଟରେ କଟାଯାଇଥିବା ଚାଲାଣ କ୍ଷେତ୍ରରେ ୫୦% ଜରିମାନା ଛାଡ଼୍ କରାଯିବ ବୋଲି କୁହାଯାଇଥିଲା । ପରେ ଆଉ ୭ଟି ଏମ୍ଭି ଆକ୍ଟକୁ ସାମିଲ୍ କରାଯାଇଥିଲା । ବସ୍ ମାଲିକମାନଙ୍କ ଦାବି ପରେ ପରମିଟ୍ ଏବଂ ଫିଟ୍ନେସ୍ କଟାଯାଇଥିବା ଜରିମାନାକୁ ମଧ୍ୟ ଓଟିଏସ୍ରେ ସାମିଲ୍ କରାଯାଇଥିଲା । ଓଟିଏସ୍ରେ ପ୍ରାୟ ୧୩ ଶହ କୋଟି ଟଙ୍କାର ଜରିମାନା ଆଦାୟ ହେବ ବୋଲି ଆଶା କରାଯାଉଥିଲା । ଅବଶ୍ୟ ଏଥିରୁ ୨୦% ଚାଲାଣ କୋର୍ଟକୁ ଚାଲିଯାଇଛି । ଅର୍ଥାତ ଏହି ସ୍କିମ୍ରେ ଆଉ ୯ ଶହ କୋଟି ଟଙ୍କା ଆଦାୟ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।ଆଦାୟ ଶହେ କୋଟିରୁ ପରମିଟ୍ ଏବଂ ଫିଟ୍ନେସ୍ ବାବଦରେ ପ୍ରାୟ ୪ ଶହ କୋଟି ଟଙ୍କାର ଜରିମାନା ଅର୍ଥ ଆଦାୟ ପାଇଁ ରହିଛି । ଏହାକୁ ଓଟିଏସ୍ ସାମିଲ କରାଯିବା ପରେ ମଧ୍ୟ ଏଥିରୁ ମାତ୍ର ୨% ଆଦାୟ କରାଯାଇଛି । ମାର୍ଚ୍ଚ ଶେଷ ପରେ ଓଟିଏସ୍ ସ୍କିମ୍ ସୁବିଧା ମିଳିବ ନାହିଁ । ୫ମାସରେ ମାତ୍ର ୧୦% ଆଦାୟ ହୋଇଥିବାବେଳେ ଗୋଟିଏ ମାସରେ କିପରି ବାକି ୯୦% ଜରିମାନା ଆଦାୟ ହେବ ତାହା ଏବେ ପରିବହନ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି ।
