ଓଡ଼ିଆ ପୋଷ୍ୟ କନ୍ୟାଙ୍କୁ ଆମେରିକାରେ ନିର୍ଯାତନା, ଏବେ ଓଡ଼ିଶା ଫେରିଯିବା ପାଇଁ ବିନତି

ପ୍ରାୟ ସାତ ବର୍ଷ ପୂର୍ବେ ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପାଳିତ ଓଡ଼ିଶାର ଜଣେ ଯୁବତୀ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପୀଡ଼ିତା ବାଲେଶ୍ବରର ମୂଳ ବାସିନ୍ଦା ପୂଜା ଓରଫ ସେଜଲ। ସେ ଏକ ଭାବପ୍ରବଣ ଭିଡିଓ ବାର୍ତ୍ତାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି, “ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ। ମୁଁ ବହୁତ ଯନ୍ତ୍ରଣା ପାଉଛି।”ସେଜଲ୍‌ଙ୍କର ବାଲେଶ୍ୱର ଉପକଣ୍ଠ ଖାନନଗର ନିକଟସ୍ଥ ଆଳଦା ଅଞ୍ଚଳର ଅମର ଦାସ ନାମକ ଜଣେ ଯୁବକଙ୍କ ସହ ଫେସ୍‌ବୁକ୍‌ରେ ୨୦୨୪ରେ ବନ୍ଧୁତା ହୋଇଥିଲା । ଅମର ବାଲେଶ୍ୱରର ଜାଣିବା ପରେ ସେଜଲ୍‌ ତାଙ୍କୁ ମେସେଜ୍‌ ଦେବା ସହ ସେଠାକାର ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ । ସେଠାରେ ତାଙ୍କ ପାଳିତା ମାଆ ସୁଜି ଜନ୍‌ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଏନେଇ ସେଜଲ୍‌ ଉଭୟ ଇଂରାଜୀ ଓ ଓଡ଼ିଆରେ ଦୁଇଟି ଭିଡିଓ ବାର୍ତ୍ତା ଅମରଙ୍କୁ ପଠାଇଥିଲେ ।

ଭିଡିଓ ବାର୍ତ୍ତା ଅନୁଯାୟୀ ସେଜଲ୍‌ ପିଲାବେଳେ ଓଡ଼ିଶାରେ ରହୁଥିଲେ । ପୂର୍ବରୁ ତାଙ୍କ ନାଁ ପୂଜା ନାୟକ ଥିଲା । ଛୋଟବେଳେ ଟ୍ରେନ୍‌ରେ ଯାତ୍ରା ସମୟରେ ସେ ବାପା, ମା’ଙ୍କଠୁ ଅଲଗା ହୋଇଯାଇଥିଲେ । ଚାଇଲ୍ଡ ଲାଇନ୍‌ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ଓ ପରେ ଭୁବନେଶ୍ୱର ନହରକଣ୍ଟାସ୍ଥିତ କନ୍ୟାଶ୍ରମରେ ରଖାଯାଇଥିଲା ।ସେଠାରେ ଥିବା ବେଳେ ୨୦୧୮ରେ ଏକ ଆମେରିକୀୟ ଦମ୍ପତି ତାଙ୍କୁ ପୋଷ୍ୟ କନ୍ୟା ଭାବେ ନେଇଯାଇଥିଲେ । ବିଦେଶକୁ ଯିବାର କିଛି ବର୍ଷ ମଧ୍ୟରେ ତାଙ୍କ ଜୀବନ ନର୍କ ପାଲଟିଯାଇଥିବା ସେ କହିଛନ୍ତି।ପୂଜା ତାଙ୍କ ଭିଡିଓ ବାର୍ତ୍ତାରେ ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ସମ୍ମୁଖୀନ ହେବା ବିଷୟରେ ବର୍ଣ୍ଣନା କରିଛନ୍ତି। ତାଙ୍କ ଅନୁଯାୟୀ, ତାଙ୍କ ପାଳିତ ମାଆ ତାଙ୍କୁ ଦୈନନ୍ଦିନ ଘରକାମ କରିବାକୁ ବାଧ୍ୟ କରନ୍ତି, ତାଙ୍କୁ ଠିକ୍ ଭାବେ ଶୋଇବାକୁ ଦିଅନ୍ତି ନାହିଁ। ଏପରିକି ଠିକ୍ ଭାବେ ଖାଇବାକୁ ବି ଦିଅନ୍ତି ନାହିଁ ବୋଲି ‌ପୂଜା କହିଛନ୍ତି। ଯଦି ସେ ପ୍ରତିରୋଧ କରନ୍ତି ତେବେ ତାଙ୍କୁ ମାଡ଼ ମାରୁଛନ୍ତି।ପୀଡିତା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ଭିସାର ମିଆଦ ୨୦୨୩ ମସିହାରେ ଶେଷ ହୋଇଯାଇଥିଲା, ଏବଂ ସେବେଠାରୁ ସେ ସେଠାରେ ଆଇନଗତ ବୈଧତା ବିନା ରହୁଛନ୍ତି। ସେ କହିଛନ୍ତି ଯେ ତାଙ୍କ ପାଳିତ ମାଆ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛନ୍ତି, ଏବଂ ଯଦି ସେ ମନା କରନ୍ତି ତେବେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ତେବେ ଓଡ଼ିଶା ଫେରି ନିଜ ବାପା ମାଆଙ୍କୁ ଖୋଜିବାକୁ ଚାହୁଁଛନ୍ତି ପୂଜା। ହେଲେ ତାକୁ ପାଳିତା ମାଆ ଛାଡୁ ନ ଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି। ଆଉ ଓଡ଼ିଶା ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital