ଓଡ଼ିଶାରେ ଖୁବ୍ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ପ୍ରଚଳନ କରାଯିବ ବୋଲି ବାଣିଜ୍ୟ ଏବଂ ପରିବହନ ସଚିବ ଉଷା ପାଢୀ ସୋମବାର ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେବା ପରେ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା କିପରି ଆଗକୁ ବଢ଼ିପାରିବ ସେ ବିଷୟରେ ଭାରତ ସରକାରଙ୍କ ସହିତ ଆଲୋଚନା ହୋଇଛି। ତେବେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ସିପ୍ଲେନ୍ ସେବା ଓଡ଼ିଶାର ଚିଲିକା ହ୍ରଦ ଏବଂ ସମଗ୍ର ପୂର୍ବ ଉପକୂଳକୁ ବିସ୍ତାର କରାଯାଇପାରିବ। ଏହି ସେବା ଯେକୌଣସି ଜଳାଶୟରେ ଆରମ୍ଭ କରାଯାଇପାରିବ । ଯେଉଁଠି ଗଭୀରତା ୫ ଫୁଟରୁ ଅଧିକ ଏବଂ ଅବତରଣ ସ୍ଥାନ ୨୦୦ ମିଟରରୁ ଅଧିକ ଥିବ। ସେ କହିଛନ୍ତି ଯେ, ଜଳ ବିମାନ ପରିଚାଳନା ପାଇଁ ଓ୍ବାଟରଡ୍ରୋମ ସ୍ଥାପନ ଏବଂ ପାଇଲଟମାନଙ୍କୁ ତାଲିମ ଦେବା ପାଇଁ ନିୟମ ମଧ୍ୟ ସହଜ କରାଯାଇଛି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ମିଳନୀରେ ଉପସ୍ଥିତ ଏୟାର ଲାଇନ୍ ଅପରେଟରଙ୍କୁ ଏହା ମଧ୍ୟ କହିଥିଲେ ଯେ, ଏହା ସେମାନଙ୍କ ପାଇଁ ମଧ୍ୟ ଏକ ଭଲ ସୁଯୋଗ । କାରଣ ସିପ୍ଲେନ୍ ସେବାରେ ବହୁତ ସମ୍ଭାବନା ଅଛି । ସେପଟେ ସି-ପ୍ଲେନ୍ ସେବା ଲାଗି ରାଜ୍ୟଗୁଡ଼ିକୁ ନୂଆ ନୂଆ ଯୋଜନା ଦେବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ଅପିଲ୍ କରିଛନ୍ତି ।