ପ୍ରଥମ ଥର ଓଡ଼ିଶା ଆୟୋଜିତ କରିବାକୁ ଯାଉଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ନଭେମ୍ବର ୧୨ ରୁ ୧୫ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ଉତ୍ସବ ହେବାକୁ ଥିବା ବେଳେ ନ୍ୟାସନାଲ୍ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି ।
ଥିସହ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ମନ୍ତ୍ରୀ ଜୁଏଲ ଓରାମ୍, ରାଜ୍ୟମନ୍ତ୍ରୀ ଦୁର୍ଗାଦାସ ଉଇକେ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନୀ ସମାରୋହରେ ସାମିଲ ହେବେ। ୨୨ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୧୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ୨୫୦ ଶିକ୍ଷୟିତ୍ରୀ, ଶିକ୍ଷକ ଏହି ସମାରୋହରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପାଳିତ ହେବ। ସୂଚନାଯୋଗ୍ୟ, ୨୦୧୮ ମସିହାରୁ ଏହି ଉତ୍ସବ ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି । ପ୍ରଥମେ ଜାମସେଦପୁରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ପରେ ପରେ ଉଦୟପୁର (୨୦୧୯), ବେଙ୍ଗାଲୁରୁ(୨୦୨୨), ଡେରାଡୁନ(୨୦୨୩)ରେ ଆୟୋଜିତ କରାଯାଇଥିଲା ।