ଓଡ଼ିଶାର ଖୋଲିବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ବାରିପଦାରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି କଳାବାଘ ସଫାରୀ ।କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡଏ)ଙ୍କ ସବୁଜ ସଂକେତ ମିଳି ସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଙ୍କ ଅନୁମତି ମଧ୍ୟ ମିଳିସାରିଥିଲା । ହେଲେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଦୀର୍ଘଦିନ ଧରି କଳାବାଘ ସଫାରୀ ଖୋଲିବାରେ କଣ୍ଟା ସାଜିଥିଲା ।ପୂର୍ବରୁ ମଞ୍ଚାବେଡ଼ା ଠାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇ ସାରିଛି । ପାଖାପାଖି ୧୦୦ ହେକ୍ଟରରେ ହେବ ବାଘଙ୍କ ରହଣି ସ୍ଥଳ । ବାକି ୧୦୦ ହେକ୍ଟରରେ ଉଦ୍ଧାରକେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସାଳୟ କରାଯିବ । ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ବାଘ ଓ ରାଞ୍ଚି ଚିଡ଼ିଆଖାନାରୁ ୨ଟି କଳା ବାଘଙ୍କୁ ଆଣି ଏଠାରେ ଛଡ଼ାଯିବ । ଆସନ୍ତା ୬ ମାସ ମଧ୍ୟରେ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।। ଜାତୀୟ ରାଜପଥ ଓ ବାରିପଦା ସହର ନିକଟରେ ଅବସ୍ଥିତ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହେବ । ଏହା ବ୍ୟତୀତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଅତିରିକ୍ତ ଆକର୍ଷଣ କେନ୍ଦ୍ର ପାଲଟିବ ।

ଅଧିକ ପଢନ୍ତୁ