ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢିଛି। ଓଡ଼ିଶାର ବିକାଶକୁ କେହି ରୋକିପାରିବେ ନାହିଁ। କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା। ସମସ୍ତଙ୍କ ସହଯୋଗ ରହିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂର୍ଣ୍ଣ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି, ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶର ନୂଆ ଯୁଗ । ସବୁଠାରୁ ବଡ଼ ସଫଳତା ଥିଲା ଦାରିଦ୍ର୍ୟ ହ୍ରାସ । ଦାରିଦ୍ର୍ୟ ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଥିଲା । ଏ ସମୟରେ ଓଡ଼ିଆ ଭାଷାକୁ ମିଳିଥିଲା ଶାସ୍ତ୍ରୀୟ ମାନ୍ୟତା । ଓଡ଼ିଆ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଉପରେ ଗବେଷଣା ପାଇଁ ଚେୟାର ପ୍ରତିଷ୍ଠା ହୋଇଥିଲା। କୃଷି ଭିତ୍ତିଭୂମି, ଅର୍ଥନୀତି, କ୍ରୀଡ଼ା, ନିବେଶ, ବିପର୍ଯ୍ୟୟ ପରିଚାଳନା, ଶିକ୍ଷା, ସ୍ବାସ୍ଥ୍ୟ ସହିତ ବିକାଶର ବିଭିନ୍ନ ସୂଚକାଙ୍କରେ ଓଡ଼ିଶା ଆଗରେ ରହିଛି ।ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓଡ଼ିଆ ସ୍ବାଭିମାନର ଜୟଗାନ କରୁଛି ବୋଲି କହିଥିଲେ ନବୀନ।
