ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଦଶମ ବୋର୍ଡ ପରୀକ୍ଷା ପରେ ରାଜ୍ୟର ଅନୁନ୍ନତ ତଥା ଉପାନ୍ତ ଜିଲ୍ଲାରୁ ବିଭିନ୍ନ ଗରୀବ,ଅଭାବୀ ଓ ମେଧାବୀ ପିଲାମାନଙ୍କୁ ଆଣି ତାଙ୍କର ଉଚ୍ଚଶିକ୍ଷାର ଭିତ୍ତିପ୍ରସ୍ତର ପକାଇବା ସହିତ ଏହି ଛାତ୍ରଛାତ୍ରୀ ମାନେ ସମାଜର ବିଭିନ୍ନ କ୍ଷେତ୍ରରେ ଯଥା ଡାକ୍ତର, ଇଂଜିନିୟର,ଅଧ୍ୟାପକ, ବୈଜ୍ଞାନିକ , ଜିଲ୍ଲାପାଳ, ପ୍ରଶାସନିକ ସେବା ଆଦି ଉଚ୍ଚ ପଦପଦବୀ ଅବସ୍ଥାପିତ। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ବସ୍ତିର ଛୋଟ ଛୋଟ ପିଲା ମାନଙ୍କୁ ନେଇ ଖୋଲିଛନ୍ତି ବର୍ଣ୍ଣବୋଧ ପାଠଶାଳା। ଶିକ୍ଷୟତ୍ରୀ ନିଯୁକ୍ତି ଦେବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ମୂଳଦୁଆ ପକାଇବାରେ ସେ ସାଜିଛନ୍ତି ଅନନ୍ୟ ବିନ୍ଧାଣି। ତେଣୁ ସାରା ଓଡ଼ିଶାରେ ଯଶୋଦା ମାଆ ଭାବରେ ପାଇଛନ୍ତି ଏକ ସ୍ୱତନ୍ତ୍ର ପରିଚୟ। ସେ ହେଉଛନ୍ତି ନୟାଗଡ଼ର ବୋହୁ ତଥା ପାରଳାଖେମୁଣ୍ଡିର ଝିଅ ଶ୍ରୀମତୀ ନିବେଦିତା ଲେଙ୍କା। କେବଳ ପିଲା ମାନଙ୍କ ପାଇଁ ନୁହେଁ ବୟସ୍କ ବୃଦ୍ଧ ବୃଦ୍ଧା ମାନଙ୍କୁ କିଛି ସମୟ ଆଧ୍ୟାତ୍ମିକ ଭାବଧାରା ଭିତରେ ତଲିନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ଗୀତା ଓ ଭାଗବତର ଅମୂଲ୍ୟ ସାରବସ୍ତକୁ ପଠନ, ମନନ ଓ ଆଲୋଚନା କରାଇଥାନ୍ତି। ଶିକ୍ଷା କ୍ଷେତ୍ରରେ କାମ କରୁଥିଲେ ମଧ୍ୟ ସମାଜର ଉନ୍ନତି ପାଇଁ ରକ୍ତଦାନ ଶିବିର ଓ ଚକ୍ଷୁଦାନ ଶିବିର ପରି ଅନେକ ସଚେତନତା ତଥା ଜନମଙ୍ଗଳ କାର୍ଯ୍ୟକ୍ରମ କରିଚାଲିଛନ୍ତି।
ନାରୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ମଣିଷ ମାନଙ୍କ ପାଇଁ କେବଳ ନୁହେଁ ବୁଲା ଗାଈ ଗୋରୁ, ପଶୁ ପକ୍ଷୀ,ମାଙ୍କଡ ଓ କୁକୁର ମାନଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରିଥାନ୍ତି। କେବଳ ସେତିକି ନୁହେଁ ୨୦୧୪ ମସିହା ଠାରୁ ମୃତ୍ୟୁ ପରେ ନିଜ ଶରୀରକୁ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଗବେଷଣା ଉଦ୍ଦେଶ୍ୟରେ ଦାନ କରିବା ପାଇଁ ଚୁକ୍ତିବଦ୍ଧ ମଧ୍ୟ ହୋଇଛନ୍ତି। ସମସ୍ତଙ୍କ ପାଇଁ ଯଶୋଦା ମାଆ ସାଜିଥିବା ଶ୍ରୀମତୀ ନିବେଦିତା ଲେଙ୍କା ଭୁବନେଶ୍ୱର ଲୁମ୍ବିନୀ ବିହାରରେ ବାସ କରୁଥିବା ଜଣେ ସାଧାରଣ ଗୃହିଣୀ l ନୟାଗଡ଼, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଭୁବନେଶ୍ୱର, ଓଡ଼ିଶାର କୋଣ ଅନୁକୋଣରୁ ଅର୍ଥାଭାବରୁ ପାଠପଢି ପାରୁ ନ ଥିବା ମେଧାବୀ ପିଲାଙ୍କୁ ପଢେଇବା ସହିତ ରହିବା ଖାଇବା ବ୍ୟବସ୍ଥା କରି ସେମାନଙ୍କୁ ନୂଆ ଜୀବନ ପ୍ରଦାନ କରିଛନ୍ତି ସେ l ଏହା ସହିତ ମହିଳା ସଶକ୍ତିକରଣ, ମହିଳା ଦକ୍ଷତାର ବିକାଶ ଓ ଅବହେଳିତ ମାନଙ୍କୁ ସାହାଯ୍ୟର ହାତ ବଢ଼େଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ତାଙ୍କ ଅବଦାନ ଖୁବ ପ୍ରଶଂସନୀୟ l ତାଙ୍କର ବହୁବିଧ ସମାଜ କଲ୍ୟାଣର ନିରବଛିନ୍ନ ଯାତ୍ରା ଏପର୍ଯ୍ୟନ୍ତ ଅବ୍ୟାହତ ରହିଛି l ଦୀର୍ଘ ୨୦ବର୍ଷରୁ ଅଧିକ ହେଲାଣି ସେ ଅସହାୟ, ନିଷ୍ପେସିତ ଲୋକଙ୍କ ଉପକାର ଓ ସେବା କରିଆସୁଛନ୍ତି l ତାଙ୍କ ସାହାଯ୍ୟ ଦ୍ଵାରା ବହୁ ପିଲା ପାଠ ପଢ଼ିବା ସହିତ ସରକାରୀ ଏବଂ ବେସରକାରୀ ଚାକିରୀ ରେ ନିୟୋଜିତ ହୋଇ ନିଜ ଭବିଷ୍ୟତକୁ ସୁଖମୟ କରିପାରିଛନ୍ତି l
ନୟାଗଡ଼ର ଜଣେ ସାଇକେଲ ମେକାନିକର ଝିଅ , ବାଲେଶ୍ୱର ଜଣେ ଭିକାରୀର ପୁଅ, କେନ୍ଦ୍ରାପଡ଼ାର ମୁଢ଼ି ବିକାଳୀର ପୁଅ , ଆହୁରି ରାୟଗଡା, କଳାହାଣ୍ଡି, ନୂଆପଡା, କନ୍ଧମାଳ ଜିଲ୍ଲାରେ ବାସ କରୁଥିବା ଦିନ ମଜୁରିଆ, ଚାଷୀଙ୍କ ପିଲାଙ୍କୁ ପାଠ ପଢ଼େଇବାର ଗୁରୁଦାୟିତ୍ୱ ନେଇ ଥିବା ବେଳେ ଏବେ ସେମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ l ନିଜେ ଏକା ସବୁ କରିବା ସମ୍ଭବ ନୁହେଁ ଭାବି ସେ ୨୦୧୨ ରେ ” ଆପଣ ଏକା ନୁହଁନ୍ତି ” ସଂସ୍ଥାର ସାହାଯ୍ୟ ଲୋଡ଼ନ୍ତି l ଏହା ପରେ ଅନେକ ବଦାନ୍ୟ ବ୍ୟକ୍ତି ଏବଂ ସହଯୋଗୀଙ୍କ ସାହାଯ୍ୟର ହାତ ନିବେଦିତାଙ୍କ ଆଡ଼କୁ ବଢିଆସେ l ୨୦୧୨ରୁ ଆଜି ପର୍ଯ୍ୟନ୍ତ ୧୦୦ ରୁ ଅଧିକ ପିଲାଙ୍କ ” ଯଶୋଦା ମାଆ ” ସାଜି ସେ ତାଙ୍କୁ ସ୍ନେହ ଓ ଭଲ ପାଇବା ଦେଇ ଆସୁଛନ୍ତି l ସେମାନଙ୍କ ପାଠପଢ଼ା ସହିତ ଛୋଟବଡ଼ ସବୁ ଅଳି ଅର୍ଦ୍ଦଳୀ ବୁଝିବା ଠାରୁ ଆରମ୍ଭ କରି ତାଙ୍କ ସୁଖ ଦୁଃଖର ସାଥୀ ସାଜିଛନ୍ତି l ତାଙ୍କ ମତରେ ଶିକ୍ଷା ହେଉଛି ପ୍ରତ୍ୟେକ ଶିଶୁର ମୌଳିକ ଅଧିକାର l ଏଣୁ ପ୍ରତ୍ୟେକ ପିଲା ଯେମିତି ଶିକ୍ଷା ଗ୍ରହଣ କରିବାରେ ସକ୍ଷମ ହୋଇପାରିବ, ସେ ଦିଗରେ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି l ଶିକ୍ଷାର ବିକାଶ ହିଁ ସମାଜର ବିକାଶ ସାଧନ କରିପାରିବ ବୋଲି ତାଙ୍କ ନିଜସ୍ୱ ମତ ରହିଛି l
ଏତେ ପିଲାଙ୍କ ” ଯଶୋଦା ମାଆ ” ସାଜିଥିବା ଶ୍ରୀମତୀ ନିବେଦିତା ଲେଙ୍କା ତାଙ୍କ ନିଃସ୍ୱାର୍ଥପର ସେବା ଏବଂ ଅନାଥ ଅଭାବୀଙ୍କୁ ସାହାଯ୍ୟ ଭଳି ମହାନ କାମ କରି ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି l କିଛି ସାମାଜିକ ଅନୁଷ୍ଠାନ ତାଙ୍କ ମହନୀୟତା ଏବଂ କର୍ମକୁ ଉତ୍ସାହିତ କରିବା ପାଇଁ ତାଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରିଛନ୍ତି l ସରକାରଙ୍କ ସାହାଯ୍ୟ ଏବଂ ସହଯୋଗ ପାଇପାରିଲେ ସେ ଆହୁରି ଅଧିକ ଲୋକଙ୍କୁ ସାହାଯ୍ୟ କରିପାରିବେ ବୋଲି ଆଶା ରଖିଛନ୍ତି l ଆର୍ଥିକ ସାହାଯ୍ୟ ତାଙ୍କୁ ପିଲାଙ୍କ ପାଠପଢା ଏବଂ ମହିଳାଙ୍କୁ ନୂତନ କର୍ମ ସଂସ୍ଥାନ ଯୋଗେଇବାରେ ସହାୟକ ହେବ ବୋଲି ତାଙ୍କର ମତ l କାହାଠାରୁ ସାହାଯ୍ୟ ମିଳୁ ଅବା ନ ମିଳୁ ଜୀବନ ଥିବାଯାଏଁ ସେ ଏହି ପିଲାଙ୍କ ଦାୟିତ୍ୱ ନେବା ସହିତ ତାଙ୍କ ମାଆ ଭଳି ଦେଖାଶୁଣା କରିବେ ବୋଲି ଦୃଢ଼ ପ୍ରତିଜ୍ଞା କରିଛନ୍ତି l