ଆଜିକୁ ଠିକ୍ ୮୯ ବର୍ଷ ତଳେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା। ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ସ୍ମରଣୀୟ ଘଟଣା। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ।ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଆଜିର ଦିନରେ ଆସନ୍ତୁ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ କରିବାର ସଂକଳ୍ପକୁ ଆହୁରି ଦୃଢ଼ କରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ।ଓଡ଼ିଆ ନୂଆବର୍ଷ ଅବସରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆ ଯାଇଛି। ଦୀର୍ଘ ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ (ରାଜ୍ୟ ସ୍ତରୀୟ ଓ ଜିଲା ସ୍ତରୀୟ କାର୍ଯ୍ୟକ୍ରମ) ଆୟୋଜନ କରାଯିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।