ଓଡ଼ିଶା ହଳଦୀରେ ସିସା(ଲିଡ୍) ରହିଛି। ବିଶେଷ କରି ରାଜ୍ୟର ୩ଟି ଜିଲ୍ଲାରେ ଉତ୍ପାଦିତ ହେଉଥିବା ହଳଦୀରେ ସିସା ଥିବା ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ପ୍ରକୃତରେ କେତେ ପରିମାଣର ସିସା ହଳଦୀରେ ରହୁଛି, ତାହା ଜାଣିବା ଲାଗି ନମୁନା ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି ‘ହୁ’ର ପ୍ରତିନିଧି।ସିସା ହେଉଛି ଏକ ଭାରି ଧାତୁ। ମଣିଷ ଶରୀର ପାଇଁ ଏହା କ୍ଷତିକାରକ। ସିସାଯୁକ୍ତ ହଳଦୀ ସେବନ କଲେ ଶିଶୁଙ୍କ କ୍ଷେତ୍ରରେ ସ୍ନାୟୁଗତ ରୋଗ ସୃଷ୍ଟି କରିବା ସହ ମସ୍ତିଷ୍କ ବିକାଶରେ ବାଧକ ସାଜେ। ସିସା ସିଧାସଳଖ ଭାବେ ପାଣି ଜରିଆରେ ଶରୀରରେ ପ୍ରବେଶ କରିଥାଏ। ଖାଲି ହଳଦୀ ନୁହେଁ ମାଟି ତଳେ ଫଳୁଥିବା ପନିପରିବାରେ ମଧ୍ୟ ସିସା ଦେଖିବାକୁ ମିଳେ। ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର କନ୍ଧମାଳ, ଗଞ୍ଜାମ ଓ କଟକ ଜିଲ୍ଲାରେ ଏହି ସର୍ବେକ୍ଷଣ ହୋଇପାରେ। ସିସାର ଧାର୍ଯ୍ୟ ମାନଦଣ୍ଡ ହେଉଛି ୧୦ ପିପିଏମ୍(ପାର୍ଟସ୍ ପର ମିଲିଅନ୍)। ବିଶେଷ କରି ଗୋଟା ହଳଦୀରେ ସିସାର ପରିମାଣ ଧାର୍ଯ୍ୟ ମାନଦଣ୍ଡଠାରୁ ଅଧିକ ରହୁଥିବା ଆଶଙ୍କା କରାଯାଉଛି। ତେବେ ‘ହୁ’ ପକ୍ଷରୁ ଏଭଳି ପ୍ରସ୍ତାବ ଆସିବା ପରେ ବିଭାଗ ତରଫରୁ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ମତରେ ରାଜ୍ୟରେ ଏବେ ଗୋଟା ହଳଦୀ ସେବନ କରୁଥିବା ଲୋକଙ୍କ ସଂଖ୍ୟା ଏକପ୍ରକାର ଶୂନ। ଲୋକମାନେ ବିଭିନ୍ନ ବ୍ରାଣ୍ଡ କିମ୍ବା ଅଣ ବ୍ରାଣ୍ଡର ହଳଦୀ ଗୁଣ୍ଡ ସେବନ କରୁଛନ୍ତି। ଯଦି ଗୋଟା ହଳଦୀରେ ସିସାର ପରିମାଣ ଅଧିକ ରହୁଛି, ତାହାଲେ ତାହା ଗୁଣ୍ଡ ହଳଦୀରେ ମଧ୍ୟ ପ୍ରତିଫଳନ ହେବା ନିଶ୍ଚିତ।ସୂଚନା ଥାଉକି, ଗତବର୍ଷ ରାଜ୍ୟରେ ୧୪୭ ପ୍ରକାରର ଖାଦ୍ୟ ନମୁନାର ପରୀକ୍ଷଣ କରାଯାଇଥିଲେ। ଏହି ସମୟରେ ହଳଦୀରେ ସିସା ପରିମାଣ ଅଧିକ ଥିବା ନଜରକୁ ଆସି ନଥିଲା। ହୁ ର ଏଭଳି ଦାବି ପରେ ହଳଦୀର ନମୁନା ପରୀକ୍ଷଣ ହୋଇପାରେ। ଏହାପରେ ମାଟି ତଳେ ଫଳୁଥିବା ଅନ୍ୟାନ୍ୟ ପନିପରିବାର ମଧ୍ୟ ନମୁନା ପରୀକ୍ଷା କରାଯାଇପାରେ।
