ଡଲଫିନ୍ ସଂରକ୍ଷଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ୨୦୨୫-୨୬ ଡଲଫିନ୍ ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ସମେତ ଓଡ଼ିଶା ଉପକୂଳରେ ବିଭିନ୍ନ ପ୍ରଜାତିର ୭୬୫ଟି ଡଲଫିନ୍ ରହିଛନ୍ତି ।ଚିଲିକା ପ୍ରସିଦ୍ଧ ଇରାୱାଡି ସହ ବୋଟଲନୋଜ୍, ହମ୍ପବ୍ୟାକ୍, ସ୍ପିନର, ଫିନ୍ଲେସ୍ ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଛି। ଗତ ୫ ବର୍ଷରେ ରେକର୍ଡ ସଂଖ୍ୟକ ଡଲଫିନ୍ ରାଜ୍ୟରେ ଥିବା ଏହି ଗଣନାରୁ ଜଣାପଡ଼ିଛି।ଜାନୁଆରି ମାସରେ କରାଯାଇଥିବା ଡଲଫିନ୍ ଗଣନାରୁ ଜଣାପଡ଼ିଛି ଯେ ରାଜ୍ୟରେ ମୋଟ ୨୦୮ଟି ଏରୱାଡି ଡଲଫିନ୍ ରହିଛନ୍ତି । ସେଥିମଧ୍ୟରୁ ୧୫୯ଟି କେବଳ ଚିଲିକାରେ ଦେଖାଯାଇଥିବା ବେଳେ ରାଜନଗରରେ ୯ଟି ଚିହ୍ନଟ ହୋଇଛନ୍ତି । ଏହି ଦୁଇ ରେଞ୍ଜ ବ୍ୟତୀତ ବାଲେଶ୍ବର ବନ୍ୟପ୍ରାଣୀ ଡିଭିଜନ୍ରେ ୧୫, ବ୍ରହ୍ମପୁର ବନ୍ୟପ୍ରାଣୀ ଡିଭିଜନ୍ରେ ୧୩ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ୍ରେ ୧୨ଟି ଡଲଫିନ୍ ନଜରକୁ ଆସିଥିଲେ । ସର୍ଭେ ସମୟରେ ଚିଲିକା ହ୍ରଦରେ ବିଲୁପ୍ତପ୍ରାୟ ଏରାୱାଡି ଡଲଫିନ୍ଙ୍କ ବହୁ ଆବାସ ସ୍ଥଳ ରହିଥିବା ଦେଖାଯାଇଛି । ଚିଲିକାରେ ବାସ କରୁଥିବା ଡଲଫିନ୍ ସାମୁଦ୍ରିକ ପ୍ରଜାତି ବନ୍ୟପ୍ରାଣୀ(ସୁରକ୍ଷା) ଆଇନ ୧୯୭୨ ଅଧୀନରେ ଆସୁଥିବାରୁ ସେମାନଙ୍କ ବାସସ୍ଥାନ ବିକଶିତ ଦିଗରେ ପଦକ୍ଷେପ ନିଆଯାଉଛି ।
