ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

କେନ୍ଦ୍ର କ୍ୟାବିନେଟର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ବୈଠକ ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକର ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟର ୪ ପରିଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୧୮,୬୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ର ୧୫ ଜିଲ୍ଲାକୁ କଭର୍ କରୁଥିବା ଏହି ପରିଯୋଜନାରେ ଭାରତୀୟ ରେଲୱେର ନେଟୱାର୍କ ୧୨୪୭ କିଲୋମିଟର ବଢିବ । ସେଥିରୁ ୨ଟି ପ୍ରକଳ୍ପ ଓଡିଶା ପାଇଁ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଆସିଛି ଏବଂ କେନ୍ଦ୍ର ସରକାର ନିୟମିତ ଭାବରେ ଓଡିଶା ପ୍ରତି ଯେଉଁଭଳି ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପ ଗୁଡିକ ମଞ୍ଜୁର କରୁଛନ୍ତି, ଏହା ତା’ର ପ୍ରମାଣ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡିଶା ନିଶ୍ଚିତ ଭାବେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ଭାବେ ବିକଶିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରେଲୱେ ଲାଇନ୍ ବିସ୍ତାରରୁ ଏହା ଆହୁରି ଅଧିକ ଗତିଶୀଳ ହେବ । ଏହାଦ୍ୱାରା ଭାରତୀୟ ରେଲୱେ ଉନ୍ନତ ଦକ୍ଷତା ପାଇବା ସହ ସେବା ବିଶ୍ୱନିୟତା ବଢିବ । ସେ କହିଛନ୍ତି ଯେ ମଲ୍ଟି-ଟ୍ରାକିଂ ପ୍ରସ୍ତାବ ରେଳ ପରିଯୋଜନାକୁ ସୁଗମ କରିବ ଓ ଭିଡ଼ ନିୟନ୍ତ୍ରଣ କରିବ ।

ଅଧିକ ପଢନ୍ତୁ

kc ads