ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଅମାପ ସଂପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ବାବୁଙ୍କ ଘରୁ ପୁଳା ପୁଳା ସୁନା ମିଳିଛି । ସୁନା ହାର, ଚେନ, ଚୁଡ଼ି, ମୁଦି ଏମିତି କେତେ କଣ ଅଳଙ୍କାର ବାବୁଙ୍କ ଘରୁ ମିଳିଛି । ୨୫ରୁ ଅଧିକ ସୁନା ମୁଦି, ପାଖାପାଖି ୩୦ଟି ସୁନା ହାର ଏହାସହ ଅନ୍ୟ ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଏହାସହ ବାବୁଙ୍କ ୪୨ ଟି ପ୍ଲଟ ସହ ୫ କୋଠା ଠାବ ହୋଇଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ୧୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଟକ ବାରବାଟୀ ଷ୍ଟାଡିୟମରେ ଥିବା କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଟିମ୍।ତାଳଦଣ୍ଡା କେନାଲ ଓ ବାରବାଟୀ ଷ୍ଟାଡିୟମ କାମରେ ବାବୁ କୋଟି କୋଟି ଟଙ୍କା ହଡପ ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ସରକାରୀ ବାବୁଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ମିଳୁଛି । ତଥାପି ଲୋକଙ୍କ ଟଙ୍କା ଖାଇ କୁବେର ପାଲଟିଛନ୍ତି ଅଫିସର ।