ଓ୍ବାୟନାଡ ଗଲା ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’

କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମାଟିତଳୁ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳର ୱାୟନାଡ଼ରେ ଭୟାନକ ଭୂସ୍ଖଳନରେ ଅନେକ ପ୍ରାଣ ହରାଇଥିବା ବେଳେ ଏବେ ବି ଅନେକଙ୍କ ପତ୍ତା ମିଳୁନି । ଏବେବି ଅନେକ ନିଖୋଜ ଅଛନ୍ତି । ମାଟି ତଳେ ଚାପି ହୋଇଥିବା କିମ୍ବା ଅନ୍ୟ କେଉଁଠି ଥିବା ନିଖୋଜଙ୍କର ସନ୍ଧାନୀ କୁକୁର ଷ୍ଟର୍ମ ସନ୍ଧାନ ଦେବା ଆଶା କରାଯାଉଛି । ମଙ୍ଗଳବାର ସକାଳ ଠାରୁ ଓଡିଶା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସନ୍ଧାନୀ କୁକୁର ଷ୍ଟର୍ମ ଦ୍ୱାରା ସର୍ଚ୍ଚ କରୁଥିବା ନିୟୋଜିତ କର୍ମଚାରୀ ସୂଚନା ଦେଇଛନ୍ତି ।

‘ଷ୍ଟର୍ମ’ ସହିତ ଜଣେ ଏସ୍‌ଆଇ, ଦୁଇ ଏଏସ୍‌ଆଇ, ଟ୍ରେନର ଓ ଅନ୍ୟଜଣେ କର୍ମଚାରୀ ଯାଇଥିବା ସୂଚନା ମିଳିଛି। ୨୦୧୮ ମସିହା ସେପ୍ଟେମ୍ବର ମାସରେ ଷ୍ଟର୍ମର ଜନ୍ମ । ସେ ଉନ୍ନତ ମାନର ଜର୍ମାନ ସେଫର୍ଡ୍‌ ପ୍ରଜାତିର । ଭୁବନେଶ୍ୱରର ଜଣେ ପଞ୍ଜିକୃତ କୁକୁର ପାଳକଙ୍କ ଠାରୁ ଷ୍ଟର୍ମକୁ ୨୦୧୯ ମସିହାରେ ରାଜ୍ୟ ପୋଲିସ କ୍ରାଇମ୍‌ବ୍ରାଞ୍ଚ୍‌ର କେ-୯ ସ୍କ୍ୱାଡ୍‌କୁ ଅଣାଯାଇଥିଲା ।ସେତେବେଳେ ତାର ବୟସ ଥିଲା ମାତ୍ର ୫ ମାସ । ପରେ ତାର ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା । ରାଜ୍ୟରେ ବାରମ୍ବାର ହେଉଥିବା ପ୍ରାକୃତିକ ଦୁର୍ବିପାକ ବେଳେ ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ‘ଷ୍ଟର୍ମ’କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି । ମାଟିତଳୁ କିମ୍ବା ଭଙ୍ଗା କୋଠାବାଡ଼ି ତଳୁ ମଣିଷ ଶରୀରର ବାସ୍ନାକୁ ଶୁଙ୍ଘି ବାହାର କରିବା ପାଇଁ ପ୍ରାୟ ୯ମାସ ପର୍ଯ୍ୟନ୍ତ ‘ଷ୍ଟର୍ମ’କୁ ପ୍ରଶିକ୍ଷଣ ଦିଆଯାଇଛି । ସେ ଓଡ଼ିଶା ପୋଲିସର ଏକମାତ୍ର କୁକୁର ବା ଶ୍ୱାନ ଯାହାର ପଞ୍ଜୀକରଣ ନମ୍ବର ଅଛି । ଚେନ୍ନାଇରେ ଥିବା କେନେଲ୍‌ କ୍ଲବ୍‌ ଅଫ୍‌ ଅଣ୍ଡିଆରେ ‘ଷ୍ଟର୍ମ’ର ନାଁ ପଞ୍ଜିକୃତ ହୋଇଛି ।

ଅଧିକ ପଢନ୍ତୁ