କଟକ- ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବା ସମୟରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ନଜର ଆସିବ।

ଭାରତୀୟ କ୍ରିକେଟ୍ ଦଳ ପାଇଁ ଲଞ୍ଚ୍ ହୋଇଛି ନୂଆ ଜର୍ସି। ଦିନିକିଆ ଫର୍ମାଟରେ ନୂଆ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ବିସିସିଆଇ ସଚିବ ଜୟ ଶାହ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଏହି ନୂଆ ଜର୍ସିକୁ ଉନ୍ମୋଚନ କରିଛନ୍ତି। ବିସିସିଆଇ ଏହାର ସୋଶିଆଲ ମିଡିଆରେ ଏହି ସମୟର ଭିଡିଓ ଶେୟାର କରିଛି । ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପାଇଁ ଏହି ଜର୍ସି ପ୍ରସ୍ତୁତ ହୋଇଛି। ଶୁକ୍ରବାର ବିସିସିଆଇ ପକ୍ଷରୁ ଏହାକୁ ଉନ୍ମୋଚନ କରାଯାଇଛି। ଜର୍ସିରେ ତିରଙ୍ଗାକୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି। ଜର୍ସିର କାନ୍ଧ ପାଖରେ ତିରଙ୍ଗା ଚିହ୍ନ ରହିଛି।

ଜର୍ସିର ଅନ୍ୟ ଅଂଶ ପାରମ୍ପରିକ ହାଲକା ନୀଳ ରଙ୍ଗର ରହିଛି।ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହରମନପ୍ରୀତଙ୍କ ନେତୃତ୍ୱାଧୀନ ମହିଳା ଦଳ ପ୍ରଥମ ଥର ପାଇଁ ନୂଆ ଜର୍ସି ପିନ୍ଧିବ। ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତ କରିବ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନୋଟି ଦିନିକିଆ ଏବଂ ତିନୋଟି ଟି୨୦ ମ୍ୟାଚ୍ ଖେଳାଯିବ। ଏହି ସମୟରେ ନୂଆ ଜର୍ସି ପିନ୍ଧିବ ମହିଳା ଦଳ। ଅନ୍ୟପଟେ ଭାରତୀୟ ପୁରୁଷ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଫେବୃଆରୀ ୨ ତାରିଖରୁ ଦିନିକିଆ ସିରିଜ୍ ଖେଳିବ। ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୯ ତାରିଖରେ କଟକ- ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ସମୟରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ନଜର ଆସିବ।

ଅଧିକ ପଢନ୍ତୁ

Odisha Darpan Digital