ରାଜ୍ୟର ବିଭିନ୍ନ ବାଟାଲିୟନ୍ରେ ସିପାହି/କନଷ୍ଟେବଲ୍ ନିଯୁକ୍ତି ପାଇଁ ଆବେଦନର ସମୟସୀମା ୨୦୨୪ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିପାହି/କନଷ୍ଟେବଲ୍ ପଦ ପାଇଁ ଧାର୍ଯ୍ୟ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପ୍ରସଂଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ନିକଟରେ ଓଡ଼ିଶା ପୋଲିସ ଷ୍ଟେଟ୍ ସିଲେକ୍ସନ ବୋର୍ଡ(ଏସ୍ଏସ୍ବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୭୨୦ ପଦବୀ ଯୋଗ କରାଯାଇଛି। ଫଳରେ ନିଯୁକ୍ତି ହେବାକୁ ଥିବା ପଦବୀ ୧୩୬୦ରୁ ୨୦୩୦କୁ ବୃଦ୍ଧି ପାଇଛି।ରାଜ୍ୟରେ ବିଭିନ୍ନ ସରକାରୀ ପଦ ପାଇଁ ସର୍ବାଧିକ ବୟସସୀମା କୋହଳ ପାଇଁ ଓଡ଼ିଶା ସିଭିଲ୍ ସର୍ଭିସ୍ (ଫିକ୍ସେସନ୍ ଅଫ୍ ଅପର୍ ଏଜ୍ ଲିମିଟ୍) ନିୟମାବଳୀ ୧୯୮୯ରେ ୨୦୨୨ରେ ସଂଶୋଧନ କରାଯାଇଥିଲା।
କିନ୍ତୁ କନଷ୍ଟେବଲ୍ ପଦ ପାଇଁ ବୟସ ସୀମା କୋହଳ କରା ନ ଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ୨୦୧୮ ପରେ ଆଉ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିବାରୁ ବହୁ ଯୋଗ୍ୟ ପ୍ରାର୍ଥୀ ସୁଯୋଗ ପାଇ ପାରି ନଥିବା ପ୍ରସଙ୍ଗକୁ ବିଚାରକୁ ନେଇ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ଏପରି ଯୁକ୍ତିକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ବିସ୍ତୃତ ଶୁଣାଣି ଆବଶ୍ୟକ ବୋଲି ହାଇକୋର୍ଟ କହିବା ସହିତ ସିପାହୀ/କନଷ୍ଟେବଲ୍ ପଦ ପାଇଁ ଦରଖାସ୍ତ ଦାଖଲର ସମୟସୀମା ୨୦୨୪ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୧୩ ଅକ୍ଟୋବର ୨୦୨୪ ଯାଏ ସମୟସୀମା ଥିଲା।