କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଶରଣକୁଳ,(ଓଡ଼ିଶା ଦର୍ପଣ):ସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା “ଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ଶରଣକୁଳ ଭିକାରିପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ସୋମବାର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସଂସ୍କୃତପଣ୍ଡିତ କିଶୋର ଚନ୍ଦ୍ର କର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସ୍କୁଲ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ, କବି ବ୍ରଜ କିଶୋର ମିଶ୍ର, ନୀଳମାଧଵ ମିଶ୍ର, ନିରଞ୍ଜନ ପ୍ରଧାନ, ରାଜେନ୍ଦ୍ର କୁମାର ତ୍ରିପାଠୀ, ରବୀନ୍ଦ୍ର କୁମାର ତ୍ରିପାଠୀ, ଜୟ କୃଷ୍ଣ ସାହୁ,ଚିତ୍ତରଞ୍ଜନ ଦାଶ,ଦିଲ୍ଲୀପ କୁମାର ମଣ୍ଡଳ ଓ କବୀ ନଳିନୀ ଦାଶ,ପ୍ରମୁଖ ଯୋଗ ଦେଇ କବିସୂର୍ଯ୍ୟ ସଦାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ ସହିତ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ l କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ସଦାନନ୍ଦଙ୍କ ରଚିତ “ମଣିମା ଶୁଣିମା ହେଉ ଗରିବ ଡାକ “ଗୀତଟିକୁ ଗାନ କରିବା ପରେ  ଉପସ୍ଥିତ କବି ଓ ସାହିତ୍ୟିକ ମାନେ ସଦାନନ୍ଦଙ୍କ କାବ୍ୟକୃତି ନିଷ୍ଠା ନୀଳମଣି, ଯୁଗଳ ରାସାମୃତ ଲହରୀ, ନାମ ଚିନ୍ତାମଣି, ଯୁଗଳ ରସାମୃତ ଭଉଁରୀ ଓ ସଙ୍ଗୀତ ସଦାନନ୍ଦ କାବ୍ୟ ଉପରେ ଆଲୋଚନା କରିଥିଲେ l ସୂଚନାଯୋଗ୍ୟ ଯେ, ସଦାନନ୍ଦ ୧୭୩୮ଖ୍ରୀଷ୍ଟାଦ୍ଦରେ ନୟାଗଡ ଜିଲ୍ଲା ପ୍ରଶିଦ୍ଧ ଶୈବକ୍ଷେତ୍ର ଶରଣକୁଳ ନିକଟସ୍ଥ ଭିକାରିପଡା ବ୍ରାହ୍ମଣ ଶାସନ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରି ଥିଲେ l ନିଜର କାବ୍ୟ କୃତି ପାଇଁ ବହୁ ଉତ୍କଳୀୟ ରାଜାଙ୍କର ରାଜକବି ରୂପେ ରାଜସଭା ବିମଣ୍ଡନ କରିଥିବା ବେଳେ ୧୭୮୩ ଖ୍ରୀଷ୍ଟାବ୍ଦରେ ପୁରୀ ଗଜପତି ବୀର କେଶରୀ ଦେବ ସଦାନନ୍ଦଙ୍କୁ “କବିସୂର୍ଯ୍ୟ “ଉପାଧିରେ ଭୂଷିତ କରିଥିଲେ l ସଦାନନ୍ଦ ରାଧାକୃଷ୍ଣଙ୍କ ଉପରେ ୨୪ଟି କାବ୍ୟ ରଚନା କରିବା ସହିତ ବୈଷ୍ଣବ ଧର୍ମ ପ୍ରଚାରରେ ନିଜର ସମସ୍ତ ସମୟକୁ ଉପଯୋଗ କରି ଶେଷରେ କେନ୍ଦ୍ରାପଡା ଜିଲ୍ଲା ଢ଼ାବଳ ଠାରେ ଥିବା ମଠରେ ଇହଲୀଳା ସମ୍ବରଣ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital