
ନୟାଗଡ,(ଓଡ଼ିଶା ଦର୍ପଣ):ସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟ ପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା “ଙ୍କ ୨୦୭ ତମ ଶ୍ରାଦ୍ଧ ବାର୍ଷିକୀ ଶରଣକୁଳ ଭିକାରିପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ପଣ୍ଡିତ କିଶୋର ଚନ୍ଦ୍ର କର, ସାହିତ୍ୟ ପରିଷଦ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସ୍କୁଲ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ, କବି ନଳିନୀ ଦାଶ, ଯୋଗାଚାର୍ଯ୍ୟ ରାଜେନ୍ଦ୍ର ତ୍ରିପାଠୀ,କବି ବ୍ରଜ କିଶୋର ମିଶ୍ର, , ନିରଞ୍ଜନ ପ୍ରଧାନ,,କମଳ ଲୋଚନ ମହାପାତ୍ର , ସାମ୍ବାଦିକ ଜୟ କୃଷ୍ଣ ସାହୁ,ସୁଶାନ୍ତ କୁମାର ପ୍ରଧାନ, ଗୌରହରୀ ସାହୁ, ଭୂତେଶ କୁମାର ପ୍ରଧାନ, ସବିତା ସାହୁ, ପ୍ରିୟଙ୍କା ପାଣିଗ୍ରାହୀ, ମଧୁସ୍ମିତା ପଟ୍ଟନାୟକ, ସୌଭାଗ୍ୟ ମହାପାତ୍ର, ମୋନାଲିନ ମିଶ୍ର, ପୁଷ୍ପଲତା ଷଢଙ୍ଗୀ,ଦିଲ୍ଲୀପ କୁମାର ମଣ୍ଡଳ ପ୍ରମୁଖ ଯୋଗ ଦେଇ କବିସୂର୍ଯ୍ୟ ସଦାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ ସହିତ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ l କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ସଦାନନ୍ଦଙ୍କ ରଚିତ “ମଣିମା ଶୁଣିମା ହେଉ ଗରିବ ଡାକ “ଗୀତଟିକୁ ଗାନ କରିବା ପରେ ଉପସ୍ଥିତ କବି ଓ ସାହିତ୍ୟିକ ମାନେ ସଦାନନ୍ଦଙ୍କ କାବ୍ୟକୃତି ନିଷ୍ଠା ନୀଳମଣି, ଯୁଗଳ ରାସାମୃତ ଲହରୀ, ନାମ ଚିନ୍ତାମଣି, ଯୁଗଳ ରସାମୃତ ଭଉଁରୀ ଓ ସଙ୍ଗୀତ ସଦାନନ୍ଦ କାବ୍ୟ ଉପରେ ଆଲୋଚନା କରିଥିଲେ l ସୂଚନାଯୋଗ୍ୟ ଯେ, ସଦାନନ୍ଦ ୧୭୩୮ଖ୍ରୀଷ୍ଟାଦ୍ଦରେ ନୟାଗଡ ଜିଲ୍ଲା ପ୍ରଶିଦ୍ଧ ଶୈବକ୍ଷେତ୍ର ଶରଣକୁଳ ନିକଟସ୍ଥ ଭିକାରିପଡା ବ୍ରାହ୍ମଣ ଶାସନର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରି ଥିଲେ l ସେ ନିଜର କାବ୍ୟ କୃତି ପାଇଁ ବହୁ ଉତ୍କଳୀୟ ରାଜାଙ୍କର ରାଜକବି ରୂପେ ରାଜସଭା ବିମଣ୍ଡନ କରିଥିବା ବେଳେ ୧୭୮୩ ଖ୍ରୀଷ୍ଟାବ୍ଦରେ ପୁରୀ ଗଜପତି ବୀର କେଶରୀ ଦେବ ସଦାନନ୍ଦଙ୍କୁ “କବିସୂର୍ଯ୍ୟ “ଉପାଧିରେ ଭୂଷିତ କରିଥିଲେ l ସଦାନନ୍ଦ ରାଧାକୃଷ୍ଣଙ୍କ ଉପରେ ୨୪ଟି କାବ୍ୟ ରଚନା କରିବା ସହିତ ବୈଷ୍ଣବ ଧର୍ମ ପ୍ରଚାରରେ ନିଜର ସମସ୍ତ ସମୟକୁ ବିନିଯୋଗ କରି ଶେଷରେ କେନ୍ଦ୍ରାପଡା ଜିଲ୍ଲା ଢ଼ାବଳ ଠାରେ ଥିବା ମଠରେ ବକୁଳ ଅମାବାସ୍ୟାରେ ଇହଲୀଳା ସମ୍ବରଣ କରିଥିଲେ l
