ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା। ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କମ୍ପାନୀର ଭୁଲକୁ ସ୍ୱୀକାର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋ ବିମାନଗୁଡ଼ିକ ଏବେ ସ୍ୱାଭାବିକ ହୋଇଛି, ପ୍ରତିଦିନ ୧୯୦୦ ରୁ ଅଧିକ ବିମାନ ଚଳାଚଳ କରୁଛି ଏବଂ ସମୟ ଅନୁଯାୟୀ କାର୍ଯ୍ୟଦକ୍ଷତାରେ ଉନ୍ନତି ହେଉଛି। ଅନ୍ୟପଟେ ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍ ଏୟାରଲାଇନ୍ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି । ଇଣ୍ଡିଗୋ ସଙ୍କଟ ଓ ଏତେ ମାତ୍ରାରେ ବିମାନ ଉଡ଼ାଣ ରଦ୍ଦର ବିଚାରବିଭାଗୀୟ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଛି। ହାଇକୋର୍ଟ ବୁଧବାର ଏହାର ଶୁଣାଣିକରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ତୁମେ କ’ଣ ଅସହାୟ? ଏଭଳି ସ୍ଥିତି କାହିଁକି ଉପୁଜିଲା?ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ତଦନ୍ତ ଓ ସମାଧାନ ପାଇଁ ଏକ ଅନୁଧ୍ୟାନକାରୀ ଟିମ୍ ଗଠନ କରାଯାଇଛି। ଏହି ୮ ଜଣିଆ ଟିମ୍ରେ ବରିଷ୍ଠ ଅଧିକାରୀ, ଡେପୁଟି ଓ ସିନିୟର ଫ୍ଲାଇଟ୍ ଅପରେଶନ୍ସ ଇନ୍ସ୍ପେକ୍ଟରମାନଙ୍କୁ ରଖାଯାଇଛି।
