ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ଭରପୂର ହୋଇ ରହିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଏମିତି ଏକ ଅନ୍ଧବିଶ୍ୱାସକୁ ଦେଖିବାକୁ ମିଳିଛି କୋରାପୁଟ ଜିଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ। ଦୁଇଟି କାଉର ମିଳନ ଦେଖିବା ପରେ ଦୁଇ ଯୁବକ ଜୀଇଁ ଥାଉ ଥାଉ ମୃତ ବୋଲି ଘୋଷଣା କରିଥିଲେ ପରିବାର ଲୋକେ। କାଉ ମିଳନ ଦେଖିଲେ, କାଳେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ବୋଲି କୋରାପୁଟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନ୍ଧବିଶ୍ବାସ ରହିଛି।
ତେଣୁ ପ୍ରତିକାର ସ୍ବରୂପ, ସେହି ବ୍ୟକ୍ତିଙ୍କୁ ବଂଚି ଥାଉ ଥାଉ ତୁରନ୍ତ ମୃତ ଘୋଷଣା କରାଯାଏ ଆଉ ମୃତ୍ୟୁ ପରର ରୀତିନୀତି ବି ପାଳନ କରାଯାଏ। ସେହି ଅନ୍ଧବିଶ୍ବାସ ଅନୁସାରେ ପାତ୍ରଗୁଡ଼ା ଗାଆଁରେ ମଧ୍ୟ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ପରେ ଦୁଇ ଯୁବକ କୁଶପୁତ୍ତଳିକାକୁ କୋକେଇରେ ଶୁଆଇ ଶବ ନେବା ଭଳି ନିଆଯାଇଥିଲା। ଯାହାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଏପରିକି ଗାଁ ଲୋକେ ଯାଇ ଶବ ସତ୍କାର କରି ଘରକୁ ଫେରିଛନ୍ତି। ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଥିବା ସୂଚନା ମିଳିଛି। ପରେ ବାହାରେ ଥିବା ଦୁଇ ଯୁବକଙ୍କୁ ଘରକୁ ଅଣାଯାଇଛି।
