ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ୨୦୨୪ ନଭେମ୍ବର ୧୦ରେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଶେଷ କରୁଥିବା ବେଳେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟଦିବସ। ବିଦାୟୀ ବାର୍ତ୍ତା ବେଳେ ସିଜେଆଇ ଚନ୍ଦ୍ରଚୂଡ଼ କୋର୍ଟରେ କେବେ କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଥିଲେ, ଯଦି ମୁଁ କେବେ କୋର୍ଟରେ କାହା ମନକୁ ଆଘାତ ଦେଇଛି, ଦୟାକରି ମୋତେ କ୍ଷମା କରନ୍ତୁ।
କାରଣ ମୋର ଭାବନା କେବେ କାହାକୁ ଦୁଃଖ ଦେବା ନଥିଲା। ପ୍ରଧାନ ବିଚାରପତି ଏହି ସମୟରେ ‘ମିଛାମି ଦୁକ୍କଡମ୍’ ବାକ୍ୟାଂଶ ବ୍ୟବହାର କରିଥିଲେ। ଏହାର ଅର୍ଥ ହେଉଛି- “ଯାହା କିଛି ଖରାପ ହୋଇଛି, ତାହା ବୃଥା ହେଇଯାଉ।” ଏହା ଏକ ପ୍ରାଚୀନ ଭାରତୀୟ ପ୍ରାକୃତ ଭାଷାର ଏକ ବାକ୍ୟାଂଶ। ସଂସ୍କୃତରେ ଏହାର ଅନୁବାଦ ହେଉଛି – “ମିଥ୍ୟା ମେ ଦୁଷ୍କୃତମ୍”। ଜୈନ ଧର୍ମରେ ଅନେକ ସମୟରେ ଏହି ବାକ୍ୟାଂଶର ବ୍ୟବହାର କରାଯାଇଥାଏ।ପ୍ରଧାନ ବିଚାରପତି ଭାବେ କାର୍ଯ୍ୟକାଳର ଅନ୍ତିମ ଦିନରେ ଡିୱାଇ ଚନ୍ଦ୍ରଚୂଡ଼ ଖଣ୍ଡପୀଠରୁ ଏକ ବାର୍ତ୍ତା ଦେଇ ବାସ୍ତବତାକୁ ସ୍ୱୀକାର କରିଥିଲେ ଯେ ସେ ଆଉ ଦେଶର ସର୍ବୋଚ୍ଚ ବିଚାରପତି ଭାବେ କାର୍ଯ୍ୟ କରିପାରିବେ ନାହିଁ। ସେ କହିଛନ୍ତି, ଆସନ୍ତାକାଲିଠାରୁ ମୁଁ ନ୍ୟାୟ ଦେଇପାରିବି ନାହିଁ, କିନ୍ତୁ ମୁଁ ସନ୍ତୁଷ୍ଟ ଅଛି। ତେବେ ସୋମବାର ଠାରୁ ମୋ ପରେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଆସୁଥିବା ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ବହୁତ ବ୍ୟାପକ ଅଭିଜ୍ଞତା ରହିଛି। ସେ ଦକ୍ଷ ଏବଂ ବହୁ ପ୍ରତିଭାର ଅଧିକାରୀ ଅଟନ୍ତି।’ ଏହା ସହିତ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ।