କାର୍ଯ୍ୟଭାର ଗ୍ରହଣ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ଡିଜିପି

ନୂଆ ପୋଲିସ ଡିଜି ଭାବେ ଓ୍ବାଇ ବି ଖୁରାନିଆ କାର୍ଯ୍ୟଭାର ସମ୍ଭାଳିବା ପରେ ଶନିବାର ସସ୍ତ୍ରୀକ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। । ଶ୍ରୀମନ୍ଦିରର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ପୁରୀ ଏସ୍‌ପି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସ୍ୱାଗତ ଜଣାଇଥିଲେ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ୱାଇ ବି ଖୁରାନିଆ । ଖୁବ ଶୀଘ୍ର ଶ୍ରୀମନ୍ଦିର ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଖୁରାନିଆ ହରିୟାଣା ରାଜ୍ୟର ମୂଳବାସିନ୍ଦା। ତାଙ୍କ ଚାକିରି କାଳ ମଧ୍ୟରେ ସେ ସୋନପୁର, ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେ ଡିଆଇଜି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ (ବ୍ରହ୍ମପୁର)ରେ କାର୍ଯ୍ୟ କରିଛନ୍ତି। ସେ କଟକ-ଭୁବନେଶ୍ବର କମିଶନରେଟର ଅତିରିକ୍ତ ପୋଲିସ କମିଶନର ଓ ପୋଲିସ କମିଶନର ଏବଂ ଡିଆଇଜି ଭାବେ ଉତ୍ତରାଞ୍ଚଳ (ସମ୍ବଲପୁର)ରେ କାର୍ଯ୍ୟ କରିଛନ୍ତି। ଆଉ ସୁବ ଚର୍ଚ୍ଚାର ଅନ୍ତ ଘଟାଇ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ବ ନେଇଛନ୍ତି ୧୯୯୦ ବ୍ୟାଚ୍‌ର ଏହି ବରିଷ୍ଠ ଆଇପିଏସ୍‌ ଯୋଗେଶ ବାହାଦୂର ଖୁରାନିଆ ।

ଅଧିକ ପଢନ୍ତୁ