କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

କାର୍‌ ଡିଲରସିପ୍‌ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ନେଇଗଲେ। ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ କିଆ କମ୍ପାନୀର କାର ଡିଲରସିପ୍ ସମ୍ବଲପୁରରେ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ‘କିଆ ର ଯୋଗାଯୋଗ ନମ୍ବର ଗୁଗୁଲରେ ଖୋଜିଥିଲେ। ଗୁଗୁଲରେ ନମ୍ବର ମିଳିବା ପରେ କମ୍ପାନି ସହିତ ଯୋଗାଯୋଗ କରିଥିଲେ। ଫୋନ୍ ଉଠାଇଥିବା ବ୍ୟକ୍ତି ନିଜକୁ ‘କିଆ ର ଅଧିକାରୀ ଭାବେ ପରିଚୟ ଦେଇଥିଲେ । ଡିଲରସିପ୍ ଖୋଲିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଜମା କରିବାକୁ ସେ କହିଥିଲା। ଫଳରେ ବ୍ୟବସାୟୀ ଜଣକ ନଭେମ୍ବର ୨୯ ରେ ୨୫ ଲକ୍ଷ ଓ ଡିସେମ୍ବର ୧୦ ତାରିଖରେ ୧୫ ଲକ୍ଷ ଟଙ୍କା ଦୁଇଟି ଆକାଉଣ୍ଟରେ ଜମା କରିଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ଡିସେମ୍ୱର ୧୬ ତାରିଖରେ ଠକମାନେ ଆହୁରି ୧୭ ଲକ୍ଷ ଟଙ୍କା ମାଗିବା ସହିତ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଜମା କରିବାକୁ କହିଥିଲେ । ଏଥିରେ ବ୍ୟବସାୟୀଙ୍କର ସନ୍ଦେହ ହେବାରୁ ସେ ଉକ୍ତ ଆକାଉଣ୍ଟ ଯାଞ୍ଚ କରିଥିଲେ। ଆକାଉଣ୍ଟଟି ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଜଣିବାକୁ ପାଇଥିଲେ। ଏହାପରେ ବ୍ୟବସ୍ୟାୟୀ ଜଣକ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ତା’ପରେ ସେ ସାଇବର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କଥାବାର୍ତ୍ତା ହେଉଥିବା ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜଣାପଡିଛି।

ଅଧିକ ପଢନ୍ତୁ