
ଓଡ଼ିଶା ଓପନ ଚେସ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର,(ଓଡ଼ିଶା ଦର୍ପଣ): ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍,ଇ-ସ୍ପୋର୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟ ଏବଂ ସୋଆ ବିଶ୍ୱବିଦ୍ୟାଳୟର ସହଯୋଗରେ ସୋଆ କ୍ୟାମ୍ପସ-୨ ଠାରେ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମର୍ଯ୍ୟାଦାଜନକ ୧୬ତମ ଓଡ଼ିଶା ଓପନ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ। ଏହି ଚେସ୍ ପ୍ରତିଯୋଗିତାରେ ୨୦ଟି ରାଷ୍ଟ୍ରର ବିଶିଷ୍ଟ ଗ୍ରାଣ୍ଡମାଷ୍ଟର ତଥା ୧୨ ଶହରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସମ୍ ହସ୍ପିଟାଲ ପାଖରେ ଥିବା ସୋଆର ଦ୍ୱିତୀୟ କ୍ୟାମ୍ପସରେ ଏହି ପ୍ରତିଯୋଗିତା ୯ ଦିନ ଧରି ଚାଲି ଆସନ୍ତା ୨୪ ତାରିଖରେ ଉଦଯାପିତ ହେବ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୧ ହଜାରରୁ ୧୨ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରୁ ମଧ୍ୟ ୪ ଶହରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ସର୍ବଭାରତୀୟ ଚେସ୍ ସଂଘ ତଥା ଅନ୍ତର୍ଜାତୀୟ ଚେସ୍ ସଂଘ (ଫିଡେ)ର ମାନ୍ୟତାପ୍ରାପ୍ତି ଏହି ପ୍ରତିଯୋଗିତାରେ ୧୫ରୁ ଉର୍ଦ୍ଧ୍ଵ ଅନ୍ତର୍ଜାତୀୟ ମାଷ୍ଟର୍ସ (ଆଇଏମ୍) ଏବଂ ଗ୍ରାଣ୍ଡମାଷ୍ଟର୍ସ (ଜିଏମ) ଅଂଶଗ୍ରହଣ କରିବାର ଥିବା ବେଳେ ଚେସ୍ ପ୍ରତିଯୋଗିତାର ଚମକ ବଢ଼ିବ। ତେବେ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ଼ ଆକର୍ଷଣ ରହିଛି ପୁରସ୍କାର ରାଶି। ଏ ବର୍ଷ ମୋଟ୍ ୪୫ ଲକ୍ଷ ଟଙ୍କା ୪ଟି ବର୍ଗରେ ପ୍ରଦାନ କରାଯିବ। ଗତ ବର୍ଷ ଏହି ପୁରସ୍କାର ରାଶିର ପରିମାଣ ୩୫ ଲକ୍ଷ ଟଙ୍କା ଥିଲା। ଏଥର ବିଭାଗ ‘ଏ’ରେ ପୁରସ୍କାର ରାଶି ୨୫ ଲକ୍ଷ, ବିଭାଗ ‘ବି’ରେ ୯ ଲକ୍ଷ, ବିଭାଗ ‘ସି’ରେ ୯ ଲକ୍ଷ, ବିଭାଗ ‘ଡି’ରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।
ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଅଛନ୍ତି ଅଲ ଓଡ଼ିଶା ଚେସ୍ ସଂଘ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ। ଆୟୋଜନ କମିଟିରେ କାଳନ୍ଦୀ ଚରଣ ସାମଲ, ଅର୍ଘ୍ୟ ଅର୍ପଣ ପରିଡା, ସୁଜିତ କୁମାର ରାଉତ, ସୁନୀତା ବର୍ମା ଅଛନ୍ତି। ଟୁର୍ଣ୍ଣାମେଣ୍ଟ କମିଟିରେ ଗୋଲକ ମହାପାତ୍ର, ଅଭିଷେକ ମିଶ୍ର, ପ୍ରୀତିରାଜ ଶତପଥୀ ଅଛନ୍ତି। ଏହି ପ୍ରତିଯୋଗିତା ସହ ରୋଟାରୀ କ୍ଲବ୍ ଅଫ ଭୁବନେଶ୍ୱର ନୀଳାଦ୍ରି ଯୋଡି ହୋଇଛି। କ୍ଲବ୍ ସଭାପତି ରୋଟାରିଆନ ସୁଜିତ କୁମାର ରାଉତ କହିଛନ୍ତି ଯେ, ଏହି ସହଭାଗିତା ଯୁବ ମାନଙ୍କ ମନରେ ପ୍ରତିଭା, ଶୃଙ୍ଖଳା ଏବଂ ବିଶ୍ୱସ୍ତରୀୟ ଅଭିଜ୍ଞତା ବୃଦ୍ଧି କରିବା ପାଇଁ ରୋଟାରୀ ନୀତିର ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ମେଳ ଖାଉଛି ତେଣୁ ଏହି କ୍ରୀଡ଼ା ମହୋତ୍ସବରେ ଆମ କ୍ଲବ୍ ମୁଖ୍ୟତଃ ସହାୟତା, ସମନ୍ୱୟ ଏବଂ ରୋଟାରୀର ଆଦର୍ଶକୁ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ ଦେବ।
ନଅ ଦିନ ଧରି ଚାଲିବାକୁ ଥିବା ଏହି ଉଚ୍ଚସ୍ତରୀୟ ପ୍ରତିଯୋଗିତା ଓ ରଣନୈତିକ କୌଶଳର ପ୍ରଦର୍ଶନ ଚେସ୍ ପ୍ରେମୀ ଏବଂ ଉଦୀୟମାନ ପ୍ରତିଭାମାନଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣିତ କରିବ।By:Laxmidhar Sahoo
