କାହିଁକି ରତନ ଟାଟାଙ୍କ ସହ ଓଡିଶା ସଂପର୍କ ନିବିଡ ଅଟେ |

ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ତେବେ ଓଡ଼ିଶା ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ଼ । ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ ।

ଓଡ଼ିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁରରେ ପ୍ରତିଷ୍ଠା ହୋଇଛି ଟାଟା ପ୍ରକଳ୍ପ । ଏହି ପ୍ରୋଜେକ୍ଟ ପାଇଁ ଏକାଧିକ ଥର ଓଡ଼ିଶା ଆସିଛନ୍ତି ରତନ ଟାଟା ।ରତନ ଟାଟାଙ୍କ ହୃଦୟର ନିକଟ ଓଡ଼ିଶା ଟାଟା ଷ୍ଟିଲ ପାଇଁ ଏକ ପ୍ରିୟ ବିନିଯୋଗ ସ୍ଥାନ ପାଲଟିଛି। ଏଭଳି ପରିସ୍ଥିତିରେ କମ୍ପାନୀ ଆଗାମୀ ବର୍ଷରେ ଏହି ରାଜ୍ୟରେ ପୁଞ୍ଜି ବିନିଯୋଗର ସମସ୍ତ ରେକର୍ଡ ଭାଙ୍ଗିପାରେ ବୋଲି କୁହାଯାଉଛି। କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପରେ ଓଡ଼ିଶା କମ୍ପାନୀର ସବୁଠାରୁ ବଡ଼ ନିବେଶ ସ୍ଥାନ ହେବ। ଏହା ପରେ ଏହି କାରଖାନାର କ୍ଷମତା ବାର୍ଷିକ ୩୦ଲକ୍ଷ ଟନ୍‌ରୁ ୮୦ ଲକ୍ଷ ଟନ୍‌କୁ ବୃଦ୍ଧି ପାଇବ।ଓଡ଼ିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା କ୍ଷେତ୍ରରେ ଟାଟା ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘ଜାଗା ମିଶନ’ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହାକି ସେତେବେଳେ ବସ୍ତି ବାସିନ୍ଦାଙ୍କ ପାଇଁ ବିଶ୍ୱର ସବୁଠୁ ବଡ଼ ପ୍ରକଳ୍ପର ମାନ୍ୟତା ପାଇଥିଲା।

ସେହିଭଳି ରାଜ୍ୟ ବିଭିନ୍ନ ଦୁର୍ବିପାକର ସମ୍ମୁଖୀନ ହେଉଥିବା ବେଳେ ଟାଟା ଗ୍ରୁପ୍ ଓ ରତନ ଟାଟାଙ୍କ ଅବଦାନ ଅତୁଳନୀୟ ଥିଲା। ଟାଟା ଗ୍ରୁପର ଏକାଧିକ କମ୍ପାନୀ ଓଡିଶାରେ ପ୍ରତିଷ୍ଠା ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ସ୍କିଲ ଡେଭଲପମେଣ୍ଟ କ୍ଷେତ୍ରରେ ନିରବଚ୍ଛିନ ଭାବେ କାର୍ଯ୍ୟ ଜାରି ରଖିଛନ୍ତି।

ଅଧିକ ପଢନ୍ତୁ