ଓଡ଼ିଶା ସରକାର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହା ଟ୍ରାନ୍ସଜେଣ୍ଡରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ କାମ କରିବ । ଓଡ଼ିଶା ସରକାର ୨୦୨୧ ମସିହାରେ କାର୍ଯ୍ୟକାରୀ କରିଥିବା ଓଡ଼ିଶା ଟ୍ରାନ୍ସଜେଣ୍ଡର ପର୍ସନ ପଲିସିରେ ‘ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡ’ ବା କିନ୍ନର କଲ୍ୟାଣ ବୋର୍ଡ ନିମନ୍ତେ ପ୍ରାବଧାନ ରହିଥିଲା ।
ତେବେ ଦୀର୍ଘଦିନ ପରେ ଗୁରୁବାର ଗଠିତ କଲ୍ୟାଣ ବୋର୍ଡରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ଜଣ ସଦସ୍ୟ ରହିବେ । ଏଥିରେ ବିଭାଗୀୟ ସଚିବଙ୍କୁ ଉପାଧ୍ୟକ୍ଷ ଓ କିନ୍ନର ସମୁଦାୟର ୨ଜଣଙ୍କୁ ମଧ୍ୟ ସଦସ୍ୟ ରଖାଯିବାର ପ୍ରାବଧାନ ରହିଛି । ଏହି ବୋର୍ଡର କାର୍ଯ୍ୟକାଳ ୩ବର୍ଷ ରହିବ । ଦେଶର ୨୦ତମ ରାଜ୍ୟ ଭାବେ ଓଡ଼ିଶାରେ କିନ୍ନର କଲ୍ୟାଣ ବୋର୍ଡ ଗଠନ ହୋଇଛି ।ସମୟ ସମୟରେ ସର୍ବେକ୍ଷଣ, ଗବେଷଣା ଓ ମୂଲ୍ୟାୟନ ମାଧ୍ୟମରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଆବଶ୍ୟକତା ଓ ଆବଶ୍ୟକ ଚାହିଦା ବୁଝିବ। ପ୍ରଭାବଶାଳୀ ବିକାଶ ଯୋଜନା, କାର୍ଯ୍ୟକ୍ରମ ଓ ନୀତି ଗଠନ କରିବାକୁ ନିଶ୍ଚିତ କରିବ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରି ବିଶେଷ ଫୋକସ୍ ଯୋଜନା ମାଧ୍ୟମରେ ସମୁଦାୟର କୁଶଳତା ବୃଦ୍ଧି ନିଶ୍ଚିତ କରିବ।୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ୨୦୩୩୨ଜଣ କିନ୍ନର ସମୁଦାୟର ବ୍ୟକ୍ତି ରହୁଛନ୍ତି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି। ସରକାରଙ୍କ ପକ୍ଷରୁ ଜାରି କିନ୍ନର ପରିଚୟ ପତ୍ର ଓଡ଼ିଶାର ପ୍ରାୟ ୨୫୦୦ କିନ୍ନର ହାସଲ କରିଥିବାବେଳେ ଅଧିକାଂଶ ଟ୍ରାନ୍ସଜେଣ୍ଡର ନିଜର ପରିଚୟକୁ ସାର୍ବଜନୀନ କରୁନଥିବା ଜଣାପଡ଼ିଛି ।