ଗର୍ଭାଶୟ ଗ୍ରୀବା କର୍କଟ (ସର୍ଭାଇକାଲ କ୍ୟାନ୍ସର) ହେଉଛି ମହିଳାମାନଙ୍କଠାରେ ଦେଖାଦେଉଥିବା ୪ର୍ଥ ସର୍ବାଧିକ ସାଧାରଣ କ୍ୟାନ୍ସର। ବିଶ୍ୱରେ ଯେତେ ମହିଳା ଏହି ରୋଗରେ ପୀଡ଼ିତ, ତାହାର ଏକ-ତୃତୀୟାଂଶ କେବଳ ଭାରତରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ରିପୋର୍ଟରୁ ଜଣାପଡ଼ିଛି। ତେବେ ଓଡ଼ିଶାରେ କିଶୋରୀ ଓ ମହିଳାଙ୍କ ପାଇଁ ବଡ଼ ଆଶ୍ୱସ୍ତି । ମିଳିବ ‘ଜରାୟୁ କ୍ୟାନସର’ ସୁରକ୍ଷା କବଚ । ଦିଆଯିବ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍ପିଭି) ଇଞ୍ଜେକ୍ସନ୍ । ସମସ୍ତଙ୍କୁ ବ୍ୟୟ ବହୁଳ ଇଞ୍ଜେକ୍ସନ୍ ବା ଟିକା ମାଗଣା ଦିଆଯିବ । ଟିକା ପ୍ରଦାନ ଲାଗି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । କେନ୍ଦ୍ର ସରକାର ଟିକା ପ୍ରଦାନ କରିଛନ୍ତି । ଏହି ଟିକା ଦୁଇ ଦିନ ଭିତରେ ଓଡ଼ିଶାରେ ପହଞ୍ଚିବ । ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ କିଶୋରୀଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ସେହି ମାର୍ଗଦର୍ଶିକା ଅନୁଯାୟୀ ଟିକା ପ୍ରଦାନ କରାଯିବ । ପ୍ରଥମେ ବିଦ୍ୟାଳୟ ଓ ମହାବିଦ୍ୟାଳସ୍ତରରେ ଏଚ୍ପିଭି ଇଞ୍ଜେକ୍ସନ୍ ପ୍ରଦାନ କରାଯିବ । ଏହାପରେ ୪୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଟିକା ଦିଆଯିବ । ଡାକ୍ତରମାନେ ଏହି ଟିକାର ଦୁଇଟି ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ଯେଉଁମାନେ ପ୍ରଥମ ଡୋଜ୍ ଯେଉଁ ଦିନ ନେବେ, ତାହାର ୬ ମାସରୁ ୧୨ ମାସ ଭିତରେ ଦ୍ୱିତୀୟ ଡୋଜ୍ ନେବେ ଜଣାପଡ଼ିଛି ।ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଚ୍ପିଭି ଇଞ୍ଜେକ୍ସନ୍ ପ୍ରଦାନ ନେଇ ଶୁଭାରମ୍ଭ କରିବେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।୧୪ ବର୍ଷୀୟା ଝିଅମାନଙ୍କୁ ଏହି ଟିକା ପ୍ରଦାନ କରାଯିବ, ଯାହା ଗର୍ଭାଶୟ ଗ୍ରୀବା କର୍କଟ ଦୂର କରିବାରେ ସହାୟକ ହେବ।ସୂତ୍ର ଅନୁଯାୟୀ, ଏହି ଟିକାକରଣ କାର୍ଯ୍ୟକ୍ରମରେ ଏକକ ଡୋଜ୍ ଗାର୍ଡାସିଲ୍ ବ୍ୟବହାର କରାଯିବ, ଯାହା ୪ ପ୍ରକାର କର୍କଟ ରୋଗକୁ ରୋକିବାକୁ ଥିବା ଏଚ୍ପିଭି ଭାକ୍ସିନ୍। ଏହା ଏଚ୍ପିଭି ଟାଇପ୍ ୧୬ ଏବଂ ୧୮ ବିରୋଧରେ ସୁରକ୍ଷା ପ୍ରଦାନ କରିବ, ଯାହା ଗର୍ଭାଶୟ ଗ୍ରୀବା କର୍କଟ ଘଟାଇଥାଏ। ଏହା ବ୍ୟତୀତ ଏଚ୍ପିଭି ଟାଇପ୍ ୬ ଏବଂ ଟାଇପ୍ ୧୧ ବିରୋଧରେ ମଧ୍ୟ ଏହି ଟିକା ସୁରକ୍ଷା ଦେବ। ଏହା ସରକାରଙ୍କ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ନ ହୋଇ ଏକ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଭାବେ ପ୍ରଦାନ କରାଯିବ। ଡବ୍ଲ୍ୟୁଏଚ୍ଓ ଏଥିପାଇଁ ସୁପାରିସ କରିଥିଲା।ଗ୍ରୀବା କର୍କଟର ମୂଳୋତ୍ପାଟନରେ ଏଚ୍ପିଭି ଟିକାକରଣ ବୈଶ୍ୱିକ ରଣନୀତିର ମୁଖ୍ୟ ସ୍ତମ୍ଭ ବୋଲି ଡବ୍ଲ୍ୟୁଏଚ୍ଓ କହିଥିଲା। ଖୋଲା ବଜାରରେ କ୍ୱାଡ୍ରିଭାଲେଣ୍ଟ ଗାର୍ଡାସିଲ୍-୪ର ୨ ଡୋଜ୍ ବିଶିଷ୍ଟ ଟିକା ଉପଲବ୍ଧ ଏବଂ ପ୍ରତି ଡୋଜ୍ର ଦାମ୍ ୩,୯୨୭ ଟଙ୍କା ରହିଛି, ଯାହାକୁ ୧୫ ବର୍ଷରୁ କମ୍ ବୟସର ଝିଅଙ୍କୁ ଦିଆଯାଇପାରିବ। ୧୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ଉକ୍ତ ଟିକାର ୩ଟି ଡୋଜ୍ ଆବଶ୍ୟକ। ଏମ୍ଏସ୍ଡି ଇଣ୍ଡିଆ ଏହି ଟିକା ପ୍ରସ୍ତୁତ କରୁଛି। ଜାତୀୟ କାର୍ଯ୍ୟକ୍ରମ ଅଧୀନରେ ଏହି ଟିକାକରଣ ସ୍ବେଚ୍ଛାକୃତ ଏବଂ ମାଗଣା ହେବ। ଠିକ୍ ବୟସରେ ପ୍ରତିକାର କରାଗଲେ ଏହା କର୍କଟ ବିରୋଧରେ ଜୀବନବ୍ୟାପୀ ସୁରକ୍ଷା ଦେବ ଏବଂ ଦେଶରେ ସର୍ଭିକାଲ କ୍ୟାନ୍ସରର ଭବିଷ୍ୟତ ବୋଝକୁ ଯଥେଷ୍ଟ ଲାଘବ କରିବ।
